STORYMIRROR

Ranjan kumar Mohanty

Romance Classics

4  

Ranjan kumar Mohanty

Romance Classics

ଚିନ୍ମୟୀ ଚିଲିକା ତୀରେ

ଚିନ୍ମୟୀ ଚିଲିକା ତୀରେ

1 min
261

ଏଇ ଦେଖ ଲାବଣ୍ୟମୟୀର 

ଲବଣାକ୍ତ ଲହରୀ ମାଳାରେ 

ନାଚି ଉଠେ ଫେନିଳ ସ୍ୱୀକୃତି 

ନିରବିତ ସାୟାହ୍ନ ବେଳାରେ 

ମୁଠା ମୁଠା ସ୍ୱପ୍ନର ମେଳାରେ 

ହଜିଛି ମୁଁ ଚିଲିକାର ତୀରେ 

ରୂପସୀର ମୋହିନୀ ଜ୍ୱାଳାରେ ।


ଶୁଣିଛି ମୁଁ ନୀରବେ ତୁମକୁ 

ସୂର୍ଯ୍ୟସ୍ନାତା ଉର୍ମିଳ ଉକ୍ତିରେ 

ପଢ଼ିଛି ସେ ନିମନ୍ତ୍ରଣ ପତ୍ର 

ହଂସରାଳୀ ଧବଳ ପନ୍ତିରେ 

ଶୋଇବାକୁ ସେଇଠି ଶାନ୍ତିରେ 

ଖୋଜୁଛି ମୁଁ ତନ୍ଦ୍ରା ଆଲିଙ୍ଗନ 

ଅନ୍ତରଙ୍ଗ ସ୍ମୃତିର ପ୍ରାପ୍ତିରେ ।


ଲେଉଟାଣି ଛାଇର କୋଳରେ 

ହସେ ଦେଖ ଦୂର ପାରିକୁଦ 

ନାଆ ଅଛି ନାଉରୀ ବି ଅଛି 

ନାହିଁ ସେଇ ଅଦିନ ବଉଦ 

ଏ ଛାତିର ଯେତେକ ଦରଦ 

ନିମିଷକେ ଆତ୍ମହରା ହୁଏ 

ଶୁଣି ସେଇ ଇପ୍ସିତ ଶବଦ ।


ଆଖି ମୋର ଆଜିବି ସୀମିତ 

ଦୃଷ୍ଟିଶକ୍ତି ସତେ କିବା ସ୍ଥାଣୁ 

ବାଜି ଉଠେ ସେଇ ଶବ୍ଦ ଯେବେ 

ନିର୍ଜନରେ ହୋଇ ରୁଣୁଝୁଣୁ 

ଢେଉ କି ତା ପରିଚୟ ଜାଣୁ? 

କହ ଥରେ କହ କିଏ ମୋତେ 

ଯା' ପାଇଁ ତୁ ଇନ୍ଦ୍ରଜାଲ ବୁଣୁ ।


ସମ୍ମୋହିନୀ ଜଳ ଭଉଁରୀରେ 

ଲଭିବାକୁ ସଲିଳ ସମାଧି 

ଏଇ ଦେଖ ଲମ୍ଫଦିଏ ଜହ୍ନ 

ମୋ ସ୍ବପ୍ନକୁ କରି ଅପରାଧୀ 

ଲୋଡ଼ା ନାହିଁ ମୁହୂର୍ତ୍ତେ ଅବଧି 

ଏଇ ଦେଖ ମୋ ଅଶ୍ରୁର ସ୍ପର୍ଶେ 

ବଢୁଅଛି ତୁମର ପରିଧି ।


ଚିଲିକା ଗୋ ଏ ଅନ୍ଧାର ରାତି 

ଭାଲେରୀକୁ କରି କୋଳାଗ୍ରତ 

ଶୁଣାଉଛି ଦୂର ଜଟିଆକୁ 

ସାନ୍ତ୍ୱନାର ସୁଗମ ସଙ୍ଗୀତ 

କାହିଁ ସେଇ ସ୍ୱର୍ଣ୍ଣିମ ଅତୀତ? 

ବାରମ୍ବାର ପଚାରେ ବୀଚିକି 

ପ୍ରଶ୍ନ ସେଇ ଚିର ପରିଚିତ ।


କଳ୍ପନାର କାରାଗାର ଭାଙ୍ଗି 

ଏଇ ଯେବେ ଉଠିଲି ମୁଁ ଚେଇଁ 

ଵାସ୍ତବତା କେତେ ଦୂରେ ସତେ 

ହାତ ମୋର ପାରେ ନାହିଁଛୁଇଁ 

ଏଇ ସଞ୍ଜ ଗଲାପରେ ନଇଁ 

ଜାଣେ ନା ମୁଁ ଆଉ କେବେ ପୁଣି 

ସେଇ ସୂର୍ଯ୍ୟ ଆସିବ କି ନାହିଁ ।


ତୁମର ସେ ରଜତ ସଲିଳେ 

ନୀଳିମାର ଆଦ୍ୟ ଆଲିଙ୍ଗନ 

ଯହିଁ ଦେଖ ନିରତେ ଭାସନ୍ତି 

ଏ ଆତ୍ମାର ରାଜହଂସୀ ମାନ 

ଚିଲିକା ଗୋ ତୁମ ସମ୍ମୋହନ 

ଆଜିବି ମୁଁ ନିର୍ଜନେ ଅଣ୍ଡାଳେ 

ଅନୁସରି ତୁମ ପାଦ ଚିହ୍ନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance