ଗୁରୁ(ଶିଶୁ କବିତା)
ଗୁରୁ(ଶିଶୁ କବିତା)
ମାଆ ଗରଭୁ ଜନମ ହେଲି
ମରତ ମାଟି ଛୁଇଁ
ବାପା ଆଶୀଷ ମାଆ ସରାଗେ
ବଢିଲି ପରା ମୁହିଁ ।
ତୁଣ୍ଡରେ ବୋଉ ଭରିଲା ଭାଷା
ତାଠାରୁ ଶୁଣିଶୁଣି
ଦରୋଟି ତୁଣ୍ଡେ କହିଲି କେତେ
କଥା ମୁଁ ଖନିଖନି ।
ବାଟ ଚାଲିବା ଶିଖାଇ ଦେଲେ
ଧରି ବାପା ମୋ ହାତ
ତାଙ୍କରି ପାଇଁ ଶିଖିଲି ସବୁ
ସଂସାର ଆତଯାତ ।
ଆଦ୍ୟ ଜୀବନେ ପ୍ରଥମ ଗୁରୁ
ସବୁରି ପିତାମାତା
ଜଗତେ ନାହିଁ ତାଙ୍କରି ସମ
ଆମରି ଜନ୍ମଦାତା ।
ଶିକ୍ଷା ଗୁରୁ ଯେ ଦ୍ଵିତୀୟ ଦିଅଁ
ଦେଇ ସ୍ନେହ ସୋହାଗ
ଜୀଵନ ସାର ଗଢି ତୋଳନ୍ତି
ବାଣ୍ଟି ଜ୍ଞାନ ଆଲୋକ ।
ପୁରାଣ ଆମ କହିଛି କେତେ
ଗୁରୁଭକ୍ତିର ଗାଥା
ଆରୁଣୀ,ଏକଲବ୍ୟ ସହିତେ
ଊପମନ୍ୟୁଙ୍କ କଥା ।
ବିଶ୍ୱବନ୍ଦିତ ବିବେକାନନ୍ଦ
ଭାରତ ମହାସନ୍ଥ
ଗୁରୁ ପରମହଂସଙ୍କ ଲାଗି
ସର୍ଵଜନ ବିଦିତ ।
ତରବାରୀ ଧାରେ ମାଗଧୀଶ
ଉତ୍କଳ ଜୟକରି
ଶୋଣିତ ମୁକୁଟ ପିନ୍ଧି ଅଶୋକ
ଗର୍ବେ ମଥାତୋଳି ।
ଧରମ ଗୁରୁ ଉପଗୁପ୍ତଙ୍କ
ବାଣୀ ଭେଦିଲା ମର୍ମ
"ତରବାରୀର ଜୟ' ବରଜି
ଘେନିଲେ ବୌଦ୍ଧଧର୍ମ ।
ଗୁରୁ ରାମଦାସ ମାର୍ଗଦର୍ଶୀ
ବୀର ରାଜା ଶିବାଜୀ
ଛତ୍ରପତି ମରାଠା ଶାସନେ
ସିଂହାସନେ ବିରାଜି ।
ଶିଷ୍ୟ ମହତ ପଥ ପ୍ରଦର୍ଶକ
ଗୁରୁ ହିଁ ସଦାକାଳେ
ମାନ ସନମାନ ଯଶ ମିଳେ
ତାଙ୍କ ଆଶୀଷ ବଳେ ।
ଵିନୟେ ପ୍ରଣିପାତ କରୁଛି
ଗୁରୁଙ୍କ ଉଦ୍ଦେଶ୍ୟରେ
ପୂର୍ବ ରାଷ୍ଟ୍ରପତି ରାଧାକ୍ରୀଷ୍ଣ
ଜନମ ଦିବସରେ ।
