ଗୁରୁ ହିଁ ସାକ୍ଷାତ ଈଶ୍ବର
ଗୁରୁ ହିଁ ସାକ୍ଷାତ ଈଶ୍ବର
ଯାହା ନକରନ୍ତି ଈଶ୍ବର ।
ତାହା କରନ୍ତି ଗୁରୁବର ॥୧॥
ଗୁରୁବର ନୁହନ୍ତି ନର ।
ଗୁରୁ ହିଁ ସାକ୍ଷାତ ଈଶ୍ବର ॥୨॥
ଶିଷ୍ଯ ହୃଦୟେ ଜ୍ଞାନ ସୃଷ୍ଟି ।
କରନ୍ତି ଗୁରୁ ଦେଇ ଦୃଷ୍ଟି ॥୩॥
ଅଜ୍ଞାନ ତମିସ୍ରା ନାଶନ୍ତି ।
ଶିଷ୍ଯକୁ ସଂସାରୁ ତାରନ୍ତି ॥୪॥
ସଂସାର ସାଗର ନଉକା ।
ହୁଅନ୍ତି ଗୁରୁବର ଏକା ॥୫॥
ବିନା ଗୁରୁରେ ଦିବ୍ଯ ଜ୍ଞାନ ।
ମିଳିବ କେହ୍ନେ ମନେ ଘେନ ॥୬॥
ମନୁଷ୍ଯ ଜନମ ସାର୍ଥକ ।
ଲଭି ଗୁରୁଙ୍କୁ ମନେରଖ ॥୭॥
ବିଦ୍ୟାଦାନର ଅଧିକାର ।
କେବଳ ଅଛି ଗୁରୁଙ୍କର ॥୮॥
ଗୁରୁ ଚରଣ ଆଶ୍ରେ କର ।
ଲଙ୍ଘିବ ଭବ ପାରାବାର ॥୯॥
ଜୀବ ଅଜ୍ଞାନ ସଂସାରରେ ।
ପଡିଛି ମହାତମ ଘୋରେ ॥୧୦॥
ଈଶ୍ବର ତାରିବେ ଯାହାକୁ ।
ପାଶେ ପେଶିବେ ଶ୍ରୀଗୁରୁଙ୍କୁ ॥୧୧॥
ଗୁରୁବରଙ୍କ ସେବା ଫଳେ ।
କିବା ଅସାଧ୍ୟ ମହୀ ତଳେ ॥୧୨॥
ଗୁରୁଙ୍କ ପାଶକୁ ଚଳିବ ।
ଈଶ୍ବର ଭାବ ମନେ ଥିବ ॥୧୩॥
ବିଧିପୂର୍ବକ ପ୍ରଣମିବ ।
ସେବା ଧରମ ଆଚରିବ ॥୧୪॥
ବୁଝିବ ପ୍ରଶ୍ନ ପଚାରିବ ।
ଅବୁଝା ଯାହା କିଛି ଥିବ ॥୧୫॥
ତତ୍ତ୍ବ ଜ୍ଞାନର ଉପଦେଶ ।
ଗୁରୁବର ଦେବେ ଅବଶ୍ଯ ॥୧୬॥
ଏକମୁଖ ବ୍ରହ୍ମା ହିଁ ଗୁରୁ ।
ଦ୍ଵିଭୁଜ ବିଷ୍ଣୁ କଳ୍ପତରୁ ॥୧୭॥
ଦ୍ଵିଭୁଜ ଶ୍ରୀଗୁରୁ ଶଙ୍କର ।
ସୃଜନ ପାଳନ ସଂହାର ॥୧୮॥
ଶିଷ୍ଯର ହିତ ସେ ଚିନ୍ତନ୍ତି ।
ଭବ ବନ୍ଧନୁ ନିସ୍ତାରନ୍ତି ॥୧୯॥
ଶଙ୍କର ଯଦି ରୁଷ୍ଟ ହେବେ ।
ଗୁରୁ ତହିଁରୁ ନିବାରିବେ ॥୨୦॥
ଗୁରୁଙ୍କ କ୍ରୋଧରୁ ଶଙ୍କର ।
ନକରି ପାରିବେ ନିସ୍ତାର ॥୨୧॥
ଧରମ ଅର୍ଥ ମୁକ୍ତି ଦାତା ।
ଗୁରୁ ହିଁ ଦଇବ ବିଧାତା ॥୨୨॥
ବ୍ରହ୍ମ ଗୁରୁଙ୍କ ଶ୍ରୀମୁଖରେ ।
ଅଛନ୍ତି ରଖିବ ମନରେ ॥୨୩॥
ଗୁରୁଙ୍କ କୃପାପ୍ରସାଦରେ ।
ଶିଷ୍ଯ ଏ ଭବସିନ୍ଧୁ ତରେ ॥୨୪॥
ରାମ କୃଷ୍ଣ ବି ଏ ଧରାରେ ।
ଜନ୍ମିଲେ ନର କଳେବରେ ॥୨୫॥
ଆଶ୍ରିତ ହେଲେ ଗୁରୁପଦ ।
ଗୁରୁ ହିଁ ସକଳ ସମ୍ପଦ ॥୨୬॥
ରେ ମୂଢ ଜୀବ କଥା ମାନ ।
ଶ୍ରୀଗୁରୁ ପଦ କର ଧ୍ୟାନ ॥୨୭॥
ମନ ନିଶ୍ଚଳ କର ତୋର ।
ଶ୍ରୀଗୁରୁ ମନ୍ତ୍ର ହୃଦେ ଧର ॥୨୮॥
ଶ୍ରୀଗୁରୁ ନାମ ହୃଦେ ଧରି ।
ସ୍ବଧର୍ମ ନିଜର ଆଚରି ॥୨୯॥
ଲଭିବୁ ନିଶ୍ଚେ ହରିପଦ ।
ଖଣ୍ଡିବୁ ବିଷୟା ବିଷାଦ ॥୩୦॥