ଗରମ
ଗରମ
ଗରମ ତା' ଧରମ ପାଳିଥାଏ ଜୀବନ ତମାମ
ଦେହ ମନକୁ ଲାଗେ କେବେ ନ୍ୟୁନ କେବେ ଉତ୍ତମ
ହାଡ଼ଭଙ୍ଗା ପ୍ରବଳ ଶୀତରେ ଦିଏ ଆରାମ
ଦାରୁଣ ନିଦାଘ ଝାଞ୍ଜି ଖରାରେ ଆଘାତ ଦିଏ ନିର୍ମମ
ଗରମ ସବୁବେଳେ ଥାଏ ଗରମ ହୁଏନା ନରମ
ସମୟ ଅନୁସାରେ ହୁଏ ସହ୍ୟ ପୁଣି ଅସହ୍ୟ
ଏଡ଼ିଦେଇ କି ଭାଙ୍ଗିଦେଇ ହୁଏନା ପ୍ରକୃତିର ନୀୟମ
ଅନୁକୂଳ ପରିସ୍ଥିତିରେ କରାଯାଏ ତାକୁ ସ୍ଵାଗତ
ପ୍ରତିକୂଳରେ ଦୂରେଇବାକୁ ହୁଏ ପ୍ରଚେଷ୍ଟା ଉଦ୍ୟମ
ଗରମର କ୍ରିୟା ପ୍ରତିକ୍ରିୟା କେବେ ସମ କେବେ ବିଷମ
ପ୍ରାକୃତିକ ପରିବେଶରେ ହୁଏ ଯେତେ ଗରମ
ବୁଦ୍ଧି ଜ୍ଞାନ ବଳରେ କିଛି କରି ହୁଏ ନିୟନ୍ତ୍ରଣ
ଯେଉଁଠି ହୁଏନା ସେଠି କ୍ରମର ହୁଏ ବ୍ୟତିକ୍ରମ
ମାନସିକ ଉତ୍ତେଜନାରେ ମସ୍ତିଷ୍କ ହେଲେ ଗରମ
ସାମାଜିକ ସଂପର୍କରେ ରଖି ହୁଏନା ତାର ଭାରସାମ୍ୟ
ଲୁହା ଗରମ ହେଲେ ହୁଏ ସିନା ତରଳ ନରମ
ମଣିଷର ବିଚାରଧାରା ହେଲେ ଗରମ ହୁଏ ଭ୍ରମ
କରି ବଶେ ସେ ଭୁଲ୍ ଅବା ପାଖକୁ ଡ଼ାକି ଆଣେ ବିପଦ
ମିଳେ ଅଶାନ୍ତ ଦୁଃଖ କ୍ଳେଶ ହୁଏନା ତାର ଉପଶମ
ଅସହ୍ୟ ଗରମ ପୋଡ଼ି ଦିଏ ଜାଳି ଦିଏ ସବୁ କିଛି
ଅସତ୍ ବିନିଯୋଗରେ ବିପରୀତ ହୁଏ ତାର ପରିଣାମ
ତାପମାତ୍ରାରେ ଉତ୍ତାପର ଗରମ ନରମ ଦୁଇ ଅବସ୍ଥା
ଋତୁ ପରିବର୍ତ୍ତନ ଅନୁଯାୟୀ ଚାଲିଛି ଅବିରାମ
ଗରମ ନରମର ତାତ୍ତ୍ଵିକ ଭାବ କରି ହୃଦୟଙ୍ଗମ
ସଜାଗ ରହି ମଣିଷ କରେ ପରିଶ୍ରମ ବା ନିଏ ବିଶ୍ରାମ
ଶାରୀରିକ ମାନସିକ ଭାବେ ସୁସ୍ଥ ସୁନ୍ଦର ଜୀବନ
କ୍ରମ ବିକାଶରେ ବ୍ୟକ୍ତି ବିଶେଷକୁ କରେ ସର୍ବୋତ୍ତମ।
