ଗ୍ରୀଷ୍ମ ଗୋଧୂଳି
ଗ୍ରୀଷ୍ମ ଗୋଧୂଳି
କେମିତି ବର୍ଣ୍ଣିବି ମୋ ପିଲାଦିନର
ଗୋଧୂଳି ଲଗନ ବେଳାକୁ
ପ୍ରକୃତି ତ ଆଜି ବଦଳି ଯାଇଛି
ଲେଖନୀ ଅଟକେ ଲେଖାକୁ
ଦିଶେନି ଆଜି ସେ ଗୋଧୂଳି ଲଗନ
ଲେଖିଲେ ପାଠକେ ମିଛତ ମଣିବେ
ହଜି ଯାଇଅଛି ସେଦିନ ।
କାହିଁ ଗାଈ ଗୋଠ ଗୋଧୂଳି ଲଗନ
କେମିତି ରଚିବ ପ୍ରକୃତି
ଟାଙ୍ଗର ଭୁଇଁରେ ଜ୍ୱଳନ୍ତ ସୂରୁଯ
ନିଦାଘ କରୁଛି ରାଜୁତି
ଝରଣା, ଝରୁନାହିଁ ଆଉ ମଗନେ
ନଦ,ନଦୀ,ହ୍ରଦ ସଂକୁଚିତ ଧରା
ହା ହା କାର ଜଳ ବିହୁନେ ।
ଗୋଧୂଳି ଲଗନେ ଗୋଠ ବାହୁଡାର
ଗାଈ ବେକ ଟିପା ଶବଦ
ଗୋପାଳ ପୁଅର ମଧୁର ମଧୁର
ମଧୁମୟ ବଂଶୀ ନିନାଦ
ମୋ ଗାଁଆ,ଶଦ୍ଦାୟୀତ ହୋଇ ଉଠଇ
ଲେଉଟାଣି ପକ୍ଷୀ କିଚିରି ମିଚିରି
ଗୀତରେ ପ୍ରକୃତି ହସଇ ।
ଧୂଷର ରଙ୍ଗର ନାଲି ଢାଉ ଶାଢୀ
ପଶ୍ଚିମ ଦିଗାଙ୍ଗୀ ଅଙ୍ଗରେ
ଦିଗ୍-ବଳୟ ଧାରେ ଧୀରେ ଧୀରେ ସୂର୍ଯ୍ୟ
ଶୁଅନ୍ତି କି ମାଆ କୋଳରେ
ସଞ୍ଜୁଆ, ତାରକା ଉଇଁବ ଉଇଁବ
ଦିଶୁଛି ଆକାଶ ପ୍ରକୃତି ରଙ୍ଗରେ
ଚିତ୍ର ଅପରୂପ ବୈଭବ ।
ଗ୍ରାମ୍ୟ ସୀମା ପ୍ରାନ୍ତେ ପାଦପ ଉହାଡେ
ଅସ୍ତଗାମି ରବି ରଶ୍ମିରେ
ସାତ ରଙ୍ଗ ଝସ ଝଟକି ଉଠଇ
ଗାଈ ଗୋଠ ପଦ ଧୂଳିରେ
ସେ ରୂପ,ଆଉକି ଦେଖୁଛି ନୟନ
ସପନରେ ଭିଜି ଭିଜି ମୁଁ ଲେଖୁଛି
ସୁନ୍ଦର ଗୋଧୂଳି ଲଗନ ।
ସରସୀରେ କଇଁ ଫୁଟିବ ଫୁଟିବ
ଦରହାସେ ମଥା ଟେକଇ
ରଜନୀଗନ୍ଧାର ମୃଦୁ ସଉରଭ
ଦକ୍ଷିଣା ପବନେ ଛୁଟଇ
ମୋ ଗାଆଁ, ମନ୍ଦିରରେ ଘଣ୍ଟ ବାଜଇ
ଜାଳିବ ଜାଳିବ ସଞ୍ଜ ବତୀ ବୋଉ
ଗୋଧୂଳି ଲଗନ ବିତାଇ ।
ଗାଆଁର ଯୁବକ କୁନି କୁନି ପିଲା
ଖେଳ ପଡିଆର ସୀମାରେ
ଶେଷ ବାଜି ଏଇ ଲାଗିଛି ଖେଳର
ଅବସାନ ହେବା ଉପରେ
ଗୋଧୂଳି,ରଙ୍ଗରେ ଦିଗାଙ୍ଗୀ ରୁଚିର
ହର୍ଷ କୋଳାହଳ ଶବଦେ ମୋ ଗାଆଁ
ସତେ ଥିଲା କେଡେ ସୁନ୍ଦର ।
ଆଜି ଆଉ କାହିଁ ସେହି ଅପରୂପ
ଗୋଧୂଳି ଲଗନ କେମିତି
ବୁଝିବ ଆଜିର ଯୁବକ ଭାବୁଛି
ସେ ବେଳ ଅଦୃଶ୍ୟ ହୋଇଛି
ଜୀବନ,ଦୁର୍ବିସହ ହୋଇ ଗଲାଣି
ବ୍ୟସ୍ତ ଭରା ପ୍ରାଣେ ଅନୁଭବ ଭାବ
ଆଉ କା ମନରେ ଆସୁନି ।
