ଗୋପବନ୍ଧୁ
ଗୋପବନ୍ଧୁ
ସେଦିନର କଥା ମନେ ଦିଏ ବ୍ୟଥା
ଦଳେଇ ଘାଇର ବନ୍ୟା,
ଭାସିଗଲା କେତେ ଗାଁ ଗଣ୍ଡା ଯେତେ
ଭାସିଗଲେ ପୁତ୍ର କନ୍ୟା:
ସତ୍ୟବାଦୀ ବନ ବିଦ୍ୟାଳୟ ମାଟି
ନୁଆଁଣିଆ ଚାଳ ଘରେ,
ଶୁଣି ଭାବୁଥିଲେ ବର୍ଷଣ ମୁଖର
ସେଇ କାଳ ରାତ୍ରୀ ଟାରେ;
ଲୁହ ଝର ଝର ଝରେ;
ଏବେଳେ ଖବର ଏକ ମାତ୍ର ପୁତ୍ର
ପଡ଼ିଛି ରୋଗ ଶଯ୍ୟାରେ ।।
ସକାଳ ହୋଇଲା ପୁଅ କଥା ଭୁଲି
ବନ୍ୟାଞ୍ଚଳେ ଗୋପବନ୍ଧୁ,
ସାଜିଥିଲେ ଅବା ଦୁର୍ଦ୍ଦଶା ପିଡିତ
ମାନବ ଜାତିର ବନ୍ଧୁ;
ପୁଅ କଥା ମନେ ପଡିଯାଇ ଯେବେ
ଚକ୍ଷୁରୁ ଝରଇ ଲୁହ,
ମନ କହେ ଏତେ ଆତୁର କାପାଇଁ
ଦେଖରେ ସହସ୍ର ପୁଅ;
ବନ୍ୟା ପ୍ରପୀଡ଼ିତ ଭୟ;
ଆତୁର କାନ୍ଧଣା ଦିଗ ବିଦିଗରୁ
ଉଛୁଳି କରେ ଅଥୟ ।।
“ନୟନ ଯୁଗଳ କାହିଁକି ବିକଳ
ମୁଖୁ ଝରାଉଛୁ ଜଳ,
ଜଳ ସୁଖି ଗଲେ କମଳିନୀ ମୋର
ହୋଇବ ଟଳମଟଳ;
ଗୋଲାପ ଫୁଲରେ ଆସନ ସଜାଇ
ବଡ ହୋଇନାହିଁ କେହି,
ଦୁଃଖରେ ଜୀବନ ଯେ ଗଢି ଶିଖିଛି
ସୁଖ ଥୁଆ ତାହା ପାଇଁ;”
“ନିଜ ସ୍ଵାର୍ଥ ତ୍ୟାଗି ଋଷି;
କହିପାରେ ସିନା ଏମନ୍ତ ବଚନ
ସତେକି ଦଧିଚି ଋଷି” ।।
ଦେଶ ପ୍ରାଣ ହୃଦ ପଥର ପାଲଟେ
ନିଜ ସ୍ଵାର୍ଥ ବିବର୍ଜିତ,
ଜୀବନ ଯାହାର ଶକ୍ତ ହୋଇଯାଏ
ସେ ହୁଅଇ ବର ପୁତ୍ର;)
ତେମନ୍ତ ଅଟଳ ଅଚଳ ହୃଦୟ
ଯଥା ନୀଳକାନ୍ତ ମଣି,
ଗୋପ ପୁର ବନ୍ଧୁ ସମ ଗୋପବନ୍ଧୁ
ଉତ୍କଳେ ଉତ୍କଳ ମଣି;
ମନ୍ତ୍ର ପ୍ରାତଃ ସ୍ମରଣୀୟ;
ସ୍ଵରାଜ୍ୟ ସଂଗ୍ରାମେ ତୁମେ କର୍ଣ୍ଣଧାର
ପ୍ରକୃତରେ ମୃତ୍ୟୁଞ୍ଜୟ ।।
ଅକଳଙ୍କ ମୂର୍ତ୍ତି ଯାହାର କୀରତି
କୋଟି ଓଡିଆର ଗର୍ବ,
ଯାହା ଗଉରବ ଅଗ୍ରତେ ବୈଭବ
ଅନେକ ଦିଶଇ ଖର୍ବ;
ପୂଣ୍ୟ ସୁଧା ସ୍ରୋତ ଅସାଧାରଣ ସେ
ପୁଣ୍ୟାତ୍ମା ମହାପୁରୁଷ,
ଉତ୍କଳ ପଙ୍କିଳ ପୁଷ୍କରିଣୀ ଜଳେ
ନିଷ୍କଳଙ୍କ ପଦ୍ମ ପୁଷ୍ପ;
ବକୁଳ ବନ କୋକିଳ;
ସତ୍ୟବାଦୀ ଚିର ବସନ୍ତ ସୁନ୍ଦର
ସୁବାସ ମଳୟ ଝର ।।
ସ୍ଵରାଜ୍ୟ ପଥର ଗାଡ ପୁରୁ ତହିଁ
ପଡି ମୋର ମାଂସ ହାଡ଼,
ବିଚିତ୍ର ପୂଣ୍ୟାତ୍ମା ଚିନ୍ତନ “ଅତୁଳ-
ନୀୟ” ସେହି କର୍ମବୀର;
ଯେତେ ଯା ଉପାଧି ଦେଲେ ନଅଣ୍ଟିବ
ଏମିତି ଯୋଗ୍ୟ ପୁରୁଷ,
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ଚିନ୍ତା ଐଶ୍ଵରୀୟ ଉତ୍ସ;
ନୀଳ ମରକତ ମଣି;
ସୁଆଣ୍ଡୋ ଶାସନ ଆକାଶ ର ଜହ୍ନ
ସତ୍ୟବାଦୀ ସିଦ୍ଧ ମୁନି ।।
ଓଡିଆ ସାହିତ୍ୟ ମନ୍ଦାକିନୀ ସ୍ରୋତ
କାବ୍ୟ କଳା ଚାରୁ ଚିତ୍ର,
ଆଙ୍କିଲେ “ଲେଖନୀ- ମୂନେ” ଚିନ୍ତାକଳ୍ପ
ସତ୍ୟନିଷ୍ଠ ବାଣୀ ପୁତ୍ର;
ଦୀନ ଦୈନ୍ୟ “ପଟ- ଚିତ୍ରକୁ” ଆହିକି
କରୁଣ ଶବଦେ ଛନ୍ଦି,
ସୁପ୍ତ ଓଡିଆର ଶୀତଳ ଶୋଣିତ
ଉତତ୍ପ ଯାହାକୁ ଦେଖି;
ଜାଗ୍ରତ ପ୍ରହରୀ ସମ;
ଶ୍ରମ ବୀର ତାର ଜାତି ପ୍ରୀତି ପ୍ରାଣ
ଉତ୍ସର୍ଗୀକୃତ ଜୀବନ ।।
ପବିତ୍ର ଆତ୍ମାର ପବିତ୍ର ଚିନ୍ତନେ
କଳଙ୍କ ନପାରେ ଛୁଇଁ,
ଅଭିନବ ସୃଷ୍ଟି ସାକ୍ଷାତେ ଈଶ୍ଵର
ଅବତାର ରୂପ ନେଇ;
ଉତ୍କଳ କମଳା କୋଳେ ଜନମିଲେ
ନାମ ସିନା ଗୋପବନ୍ଧୁ,
ସୁଦାମାର ଶଖା ସଦୃଶ ଜୀବନ
ଅସହାୟ ର ସେ ବନ୍ଧୁ;
ଜାତି ପ୍ରାଣ ସେତୁବନ୍ଧ;
ଉତ୍କଳ ମଣି ମୋ ଓଡିଆ ଜାତିର
ମାଟି ସୁଧା ମକରନ୍ଦ ।।
