ଗୋମାତା
ଗୋମାତା


କାମଧେନୁ ରୂପେ ବଶିଷ୍ଠ ଦେବର୍ଷି ରଖିଥିଲେ ତୋତେ ନେଇ,
ବିଶ୍ଵାମିତ୍ର ଋଷି ମନ ବଳାଇଲେ
ତୋତେ ନେଇ ଯିବା ପାଇଁ ।
ତୁ ମାତ ଗୋମାତା ଜଗତ ବିଦିତା
ମାୟାରେ ଯୁଦ୍ଧ ରଚିଲୁ,
ପରାସ୍ତ ହୋଇଣ ଚାଲିଗଲେ ଋଷି
ନାମ ରହିଛି ସେ କାଳୁ ।
ଗୋମାତା ବୋଲିଣ ପୂଜନ୍ତି ସମସ୍ତେ
ତୁ ଅଟୁ ଜଗତ ମାଆ,
ମାଆ ଠାରୁ ବଡ଼ ସମ୍ଭାଲୁ ସଂସାର
ଅମର ହୋଇଲା ନାଆଁ ।
ଚାରୁଶୀଳା ତୁହି ଜଗତ ମୋହିନୀ
ଜଗତ ପାଲୁଛୁ ତୁହି,
ସ୍ତନରୁ ତୋହର ଝରଇ ଅମୃତ
ଉଦ୍ଧାରିବା ପାଇଁ ମହୀ ।
ଚତୁର୍ୟୁଗେ ତୁହି ପୂଜା ପାଉଅଛୁ
ଗୋମାତା ନାମକୁ ବହି,
ଦେବ ଓ ଦାନବ ନର ଓ କିନ୍ନର
ସଭିଙ୍କୁ ପାଳୁଛୁ ତୁହି ।
ଚତୁଷ୍ପଦ ତୁହି କାମଧେନୁ ହୋଇ
ଶିବଲିଙ୍ଗେ ଢାଳୁ ଖିର,
ମହିମା ଅପାର କି ବର୍ଣ୍ଣିବି ମୁହିଁ
ଜଗତେ ଜାଣନ୍ତି ନର ।
ଅନାଥ ଶିଶୁର ମାତା ତୁହି ହେଉ
ବଞ୍ଚାଉ ଅମୃତ ଦେଇ,
ସେ ଅମୃତ ଝର ଦେବ କାର୍ଯ୍ୟ ଲାଗେ
ମହିମା ତୋ'ର ଅପାର ।
ତୋହର ଗୋବର ପବିତ୍ର ହୁଅଇ
ଘିଅ, ଦହି, ମୂତ୍ର, ଖିର,
ଦେବ କାର୍ଯ୍ୟେ ଲାଗେ ଶୌର୍ଯ୍ୟକୁ ବଢାଏ
ସଂସାର ମଧ୍ୟରେ ସାର ।
କୃଷକର ବନ୍ଧୁ ତୁ କରୁଣା ସିନ୍ଧୁ
ନଡ଼ା ଘାସ ତୋର ଖାଦ୍ୟ,
ତୋ ଉଦରୁ ଯାତ ସୁଖାଦ୍ୟ ପଦାର୍ଥ
ଭୂଞ୍ଜିଲେ ନ ମାଡେ ବୈଦ୍ୟ ।
ତୋ ଲାଞ୍ଜ ଚାମରେ ଝାଡଇ ତାନ୍ତ୍ରିକ
ଶିଶୁଙ୍କୁ ହୋଇଲେ ଡର,
ତୋର ଚର୍ମ, ଛାଲ, ଅସ୍ଥି, ଗୋରୁଚୁନା
ସଂସାରରେ ଦରକାର ।
ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ
ପୂଜା ଏ ଦେଶ କରଇ,
ନମେ ତୋର ପାଦେ ଆଶିଷ ମାଆ ଦେ
ଭକ୍ତି ଭରେ ମୁଁ ଡାକଇ ।