ଗୋଧୂଳି ....୫
ଗୋଧୂଳି ....୫
ଏ ପୃଥିବୀର ଆବର୍ତ୍ତୀ ଗତିର
ଏକ ପରିଣାମ ଏ ସମୟ ଟି ,
ପଶ୍ଚିମ ଆକାଶର ସେହି ଆକର୍ଷଣ
ଲାଲି ମନ୍ଦାର ଫୁଲ ଥାଳ ରେ ସଜା ହେଲା ପରି
କେତେ ସୁନ୍ଦର ସେ ରୂପ ,
କାହାକୁ ବା ଭଲ ନ ଲାଗେ ....?
କିଏ ବା ନ ଚାହେଁ ତାକୁ ଉପଭୋଗ କରିବାକୁ......?
କିନ୍ତୁ ଏ ବିଚିତ୍ର ଦୁନିଆର ବୈଚିତ୍ୟତା
ସତରେ ଆଶା ଠୁ ବି ଅଧିକ ବିଚିତ୍ର ।
ବାହାସ୍ଫୁଟମୟ ,ମିଥ୍ୟା ସାଗରରେ
ପ୍ରତ୍ୟହ ତନୁ କୁ ଧୌତ କରୁଥିବା ଏ ସମାଜ .........
ଦେଇନି ସଭିଙ୍କୁ ସମାନତା , ଦେଇନି ସ୍ବାଧୀନତା.........।
ମୁଁ ବି ନିଜକୁ ପରଖେ ଅନ୍ୟ ସହ ,
ହେଲେ କିଛି ମିଳେନା ,
ମିଳେ ଖାଲି ଧିକ୍କାର ର ପାହାଡ ।
ଅଶୁଭ ପୁତ୍ର ଟେ ବୋଲି ମୁଁ ପରିଚିତ ,
ଅପବିତ୍ର ହୋଇଯାଏ ସେ ସ୍ଥାନ ,
ଯେଉଁଠି ପଡିଯାଏ ମୋ ପଦ ଚିହ୍ନ ।
ଦିନ ର ଆଲୁଅ ମୁଁ ଦେଖି ପାରେନା ,
ମନ କୁ ବୁଝାଇ ଦିଏ ସର୍ବଦା ..
ମୋ ଭାଗ୍ୟେ ତ ନିଶି ହିଁ ଲେଖା ।
ମନରେ ଇଚ୍ଛା ଆସେ ହଜିବାକୁ ,
ଏ ସୃଷ୍ଟିର ସୁନ୍ଦରତା ରେ ।
ହେଲେ.......
ମୁଁ ତ ସେଇ ଅଶୁଭ ପୁତ୍ର ଟେ ନା...
ମୋ ବସିବା ସ୍ଥାନ ପବିତ୍ର ହୁଏ
ହଳଦୀ ମିଶା ପାଣି ସିଞ୍ଚନ ରେ.,
ମୋର ହଟ୍ ହଟ୍ ଶବ୍ଦ ଶୁଣି
ଟେକା ,ପଥର ଫିଙ୍ଗା ହୁଏ ମୋ ଠାରେ,
କାହା ର ମୃତ୍ୟୁ ର କାରଣର ଅଠା
ବୋଳା ହୁଏ ମୋ ମୁଣ୍ଡରେ ,
ପିଲାର ଅସୁସ୍ଥତା ର ଦାୟୀ କେବଳ ମୁଁ ହିଁ ଥାଏ ।
ମୁଁ ତ ଅଭାଗା ସେ ଉଆଁଶୀ କନ୍ୟାଟେ ପରି ,
ଯାହାର ମୁଖ ସମସ୍ତଙ୍କ ପାଇଁ ଥାଏ ଅଶୁଭ ,
ଯାହାର ଭାଗ୍ୟେ ପ୍ରଶଂସାର ଶବ୍ଦ ଠିକଣା ହଜାଇ ଦେଇଥାଏ ।
ତା ଠୁ ଆହୁରି ବିଚିତ୍ର ଲାଗେ ଯେବେ
ଏ ସମାଜ ଧନ ଲାଭ ନିମନ୍ତେ
ଧନଦାତ୍ରୀ ଙ୍କ ମୋତେ ଦେଖି ବି
କେତେ ଶରଧାରେ ମୁଣ୍ଡିଆ ମାରେ ।
ସେତେବେଳେ ଧିକ୍କାର କରେ ମୁଁ
ଏ ସମାଜ କୁ.....
କେତେ ନିଚ୍ଚ ,ନିମ୍ନମନା ,ସ୍ବାର୍ଥୀ ଏ ସୃଷ୍ଟି ...
ସ୍ବାର୍ଥ ହାସଲ ପାଇଁ ଏ ତ
ପଛାଇବନି ବିଷ୍ଠା ଭକ୍ଷଣ ପାଇଁ ,
ସ୍ବାର୍ଥପୂରଣ ଅନ୍ତେ କୁଣ୍ଠିତ ବି ହେବନି ଗୋଇଁଠା ଦେବାକୁ ।
ମୁଁ ପରା ଥିଲି ଅଶୁଭ ତେବେ କେମିତି ବଦଳିଗଲା ସେ ଶବ୍ଦ ,
କେବେ ପାର୍ଥକ୍ୟ କରାଉ ମୋର
କଳା , ଧଳା ରୂପରେ ....
ନିଜର ଖୁସି , ସୁଖ, ସୁବିଧା ପାଇଁ
କେବେ ତୁ ମୋତେ କରୁ ନିନ୍ଦା
କେବେ କରୁ ପୂଜା ,ତୋ ଧନଦେବୀଙ୍କ ସହ ।
ତଥାପି ମୁଁ ଚାହିଁଥାଏ ଏହି ସମୟକୁ ,
ଯେବେ ମୁଁ ଉଡିପାରିବି ଡେଣା ମେଲେଇ ,
ଧିକ୍କାର ମିଳୁ ପଛେ କିଛି ତ ଅବଲୋକନ କରିବି ଏ ଦୁନିଆଁକୁ ।
ଜାଣିଛି ଏ ସ୍ଥାନ ,ଏ ସୃଷ୍ଟି ଭାରି ଅଲଗା ,
ତଥାପି ସେହି ସୃଷ୍ଟିରେ ବି ରହିଛି ଏଇ ସମୟ ,
ଯାହାକି ମୋତେ ସୁଯୋଗ ଦିଏ
ଏ ଡେଣାକୁ -ଉଡିବାକୁ ,
ଏ ଆଖିକୁ - ସମାଜ ଅସମାହିତ,
ଛନ୍ଦମୟ , ଭିନ୍ନମୟ ରୂପକୁ ବୁଝିବାକୁ............
ଅପେକ୍ଷା କରିଥିବି ପ୍ରତ୍ୟହ ଏହି ସମୟକୁ.............
ଉତ୍କଣ୍ଠା ର ସହ.............
ଆବେଗ ସହ.............
କାରଣ ଏ ଗୋଧୂଳି ହିଁ ଗଢି ତୋଳେ
ମୋ ଆଶା , ମୋ ସ୍ବପ୍ନର ସୌଧ............
