ଗଣତନ୍ତ୍ରର ମନ୍ଦିରେ ଉଡେ ହିଂସାର ବାନା
ଗଣତନ୍ତ୍ରର ମନ୍ଦିରେ ଉଡେ ହିଂସାର ବାନା
କି' କାଳ ହେଲା ରାମ ରାଇଜେ ଦେଖ ହେ ନନା,
ଗଣତନ୍ତ୍ରର ମନ୍ଦିରେ ଉଡେ ହିଂସାର ବାନା;
ଜନତା ପାଇଁ ହୋଇଚି ଗଢ଼ା ଯେଉଁ ମନ୍ଦିର,
ସେଇ ମନ୍ଦିର କିମ୍ପାଇଁ ଆଜ ଦୁର୍ଦ୍ଦିନେ ଘୋର ।
ଚାହେଁ ଜନତା ଶୁଣ ହେ ନେତା ଦିଅ ଉତ୍ତର,
ତବ ପାଶେ କି' ଅଛି ଉତ୍ତର ଏ ଜନତାର;
ଯେ ଦେଶ ଜନ ବିଶ୍ୱେ ଦେଖାଏ ଅହିଂସା ପଥ,
ସେ ଦେଶେ ତାର ସଂସଦେ ଆଜ ହିଂସା ବହୁତ।
ଜନତା ପାଶେ ସୁଖେ ଦୁଃଖେ ଯେ ହୁଅଇ ଠିଆ,
ଜନ ମଙ୍ଗଳ କରମ ଲାଗି ତା' ମୂଳଦୁଆ;
ସେହି ତ ଆମ ବାସ୍ତବ ନେତା ଏଇ ମୋ ଦେଶେ,
ଯା'ଲାଗି ଜନ ତୋଷଇ ମନ ସଦା ତା'ପାଶେ।
ଗାନ୍ଧୀ, ସୁଭାଷ, ନେହେରୁ, ଶାସ୍ତ୍ରୀ, ବଲ୍ଲଭ ଭାଇ
ଉତ୍କଳମଣି, ମଧୁସୂଦନ କେତେ ଯେ କାହିଁ;
ଏମନ୍ତ ନେତା ଜଗତଜିତା ଏଦେଶେ ମୋର,
ତିଳେ ବି ତୁହି ଶିଖିନୁ କାହିଁ କିଆଁ କୁମର ।
ସଂସଦେ ଯହିଁ ଜନତା ପାଇଁ ହୁଅଇ ସଭା,
ନେତା ଆଚର ଦେଖି ଜନତା ହୁଅଇ କାବା;
ଶାସକଠୁଁ ଯେ ବିରୋଧୀ ଯାଏଁ କରନ୍ତି ପାଲା,
ଏସବୁ ପାଇଁ ସଂସଦେ ତହିଁ ପଡଇ ତାଲା।
ଜନତା ଶୁଳ୍କେ ପାଉଚ ଭତ୍ତା ଶୁଣ ହେ ନେତା,
ଯାଉଛ ଭୁଲି ଜୀବନେ ତୁମେ କିଆଁ ଏ କଥା;
ନିମିଷେ ପାଇଁ ହୁଅଇ ଯହିଁ କେତେ ଯେ ବ୍ୟୟ,
ଆପଣା ସ୍ୱାର୍ଥ ହାସଲ ପାଇଁ ଦେଶର କ୍ଷୟ।
ପହିଲି କାମ ସଂସଦେ ତୁମ ଜନତା ଅଳି,
ସେ କଥା ଭୁଲି ଆପଣା ସ୍ୱାର୍ଥେ ବଢ଼ଇ କଳି;
କହ ହେ ନେତା, ଏ କି' ବାରତ୍ତା ଦେଉଚ ତୁମେ,
ତିଳେ ବି କ୍ଷମା ମିଳିବ ନାହିଁ ଜନତା ଧାମେ।