ଗଣତନ୍ତ୍ରର ଆହ୍ବାନ
ଗଣତନ୍ତ୍ରର ଆହ୍ବାନ


ଗଣତନ୍ତ୍ର ଅଟେ ଆଜିର ସମୟେ
ସଭିଙ୍କର ପ୍ରୟୋଜନ
ଗଣଙ୍କ ନିମନ୍ତେ ଗଣଙ୍କ ଦ୍ବାରା ଏ
ଅଟେ ଗଣଙ୍କ ଶାସନ||
ଗଣତନ୍ତ୍ର ଦିଏ ସମାନ ସୁବିଧା
ସମସ୍ତ ଗଣଙ୍କ ପାଇଁ
ଶୋଷଣ କଷଣ ଉତ୍ପୀଡନ ପାଇଁ
ଗଣତନ୍ତ୍ରେ ସ୍ଥାନ ନାହିଁ||
ଆଇନ ଆଗରେ ସଭିଏଁ ସମାନ
ବୈଷମ୍ୟର ସ୍ଥାନ ନାହିଁ
ସଂଖ୍ୟାଧିକ ମତେ ହୁଅଇ ଶାସନ
ସଭିଙ୍କ କଲ୍ୟାଣ ପାଇଁ||
ସବୁ ଧର୍ମ ଜାତି ବର୍ଣ୍ଣର ଜନତା
ସମାନ ସୁବିଧା ପାଏ
ସଂଖ୍ୟାଧିକ ମତେ ନିରପେକ୍ଷ ଭାବେ
ସମସ୍ତ ନିଷ୍ପତି ହୁଏ||
ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଏଠି
ମୋଟେ ସ୍ଥାନ ପାଏ ନାହିଁ
ଅସ୍ପୃଶ୍ୟତା ନାମେ କାହାକୁ କଷଣ
କେହି ଦେଇପାରେ ନାହିଁ||
ସାମ୍ୟତା ଐକ୍ୟତ୍ବ ଗଣତନ୍ତ୍ର କ୍ଷେତ୍ରେ
ଗୁରୁତ୍ବ ବହନ କରେ
ସ୍ବାର୍ଥ ସିଦ୍ଧିପାଇଁ ହୁଏନି ଶାସନ
ହୁଅଇ ଗଣ ସ୍ବାର୍ଥରେ||
ଦେଖୁଅଛି ମୁହିଁ ଗଣତନ୍ତ୍ର ଆଜି
ବିପଦରେ ପଡିଅଛି
ଗଣଙ୍କ ଶରୀରେ ସ୍ବାର୍ଥପରତାର
ଭୂତ ସବାର ହୋଇଛି||
ନିର୍ବାଚନ ବଳେ ସର୍କାର ଗଠନ
ଗଣତନ୍ତ୍ରେ ହୋଇଥାଏ
ସଂଖ୍ୟାଧିକ ମତ ପାଇଥିବା ଦଳ
ଶାସନ ଦାୟିତ୍ବ ନିଏ||
ସେହି ଶାସନ ବି ସଂଖ୍ୟାଧିକ ମତେ
ସର୍ବ ସ୍ବାର୍ଥପାଇଁ ହୁଏ
ସ୍ବାର୍ଥପରତାର ଲେଶ ନାହି ଏଠି
ଗଣ ସ୍ବାର୍ଥ ସ୍ଥାନ ପାଏ ||
ଆଜି ଗଣତନ୍ତ୍ର ବିପନ୍ନ ହୋଇଛି
ସ୍ବାର୍ଥୀ କ୍ରୀଡନକ ସାଜି
ବାହୁବଳୀ ଅର୍ଥ ଛଳ କଉଶଳେ
ନିର୍ବାଚନ ଜିତେ ଆଜି||
ନିର୍ବାଚନ ଥରେ ଜିତିଗଲା ପରେ &nbs
p;
ଗଣପ୍ରତି ନାହିଁ ଚିନ୍ତା
ନିଜର ସମ୍ପତ୍ତି ବଢାଇ ଚାଲିବା
ଏକମାତ୍ର ତାର ଚିନ୍ତା||
ଜାତୀୟ ସମ୍ପଦ ଲୁଟିବା କେବଳ
ତା'ର ଏକମାତ୍ର ଚିନ୍ତା
ଯେଉଁ ଯୋଜନାରେ ବେଶି ଲୁଟିହେବ
ସେଥିରେ ଖେଳାଏ ମଥା||
ସେହି ଅର୍ଥ ବଳେ ଚାପି ଦିଆଯାଇ
ସବୁ ପ୍ରତିରୋଧ ସ୍ବର
ଗଣତନ୍ତ୍ରର ସେ କରେ କଣ୍ଠରୋଧ
ହତ୍ୟାକରେ ଆଇନର ||
ନୋଟ୍ ବଦଳରେ ଭୋଟ୍ ଦେଇଦେଇ
ଚାହିଁଛି ଗଣ ଜଳକା
ଯାଦୂଆ ବିକୁଛି ଯାଦୂର ମଲମ
ଚୋର ହସ୍ତେ ଗୃହରକ୍ଷା ||
ମଦୂଆ ତୂଣ୍ଡରୁ ସ୍ଳୋଗାନ ଶୁଭଇ
ନିଶା ନିବାରଣ ପାଇଁ
ସ୍ଳୋଗାନ ପତାକା ମଦୂଆ ହାତରେ
ଟେକିଥାଏ ମଦ ପାଇ||
କୋର୍ଟ କଚେରୀରୁ ପୋଲିସ୍ ପ୍ରଶାସନ
ଶାସକର କ୍ରୀଡନକ
ପ୍ରତିବାଦ କଲେ ଜୀବନ ଲିଭଇ
କମିସନ୍ ବସେ ଏକ||
କମିସନ ଯେଉଁ ରିପୋର୍ଟ ଦିଅଇ
ବହୁ ସମୟ ଗଡାଇ
ସ୍ପଷ୍ଟ ଦିବାଲୋକେ ଦୋଷୀ ଘୂରିବୁଲେ
ଅଧିକ ସମୟ ପାଇ||
ଦୁର୍ନୀତି କରଣ ଦୁଷ୍କୃତି କରଣ
ରାଜନୀତିର ହୋଇଛି
ଗଣତନ୍ତ୍ର ଲାଗି ବିଶାଳ ଆହ୍ବାନ
ଏହା ସୃଷ୍ଟି କରିଅଛି ||
ଗଣତନ୍ତ୍ର କେବେ ତିଷ୍ଠି ପାରିବନି
ସ୍ବାର୍ଥକୁ ସାରଥୀ କଲେ
ଅର୍ଥ ମଦ ଲୋଭେ ସବୁ ଦେଖିଥାଇ
ଆଖିବୁଜି ବସିଗଲେ||
ଆହେ ଜନଗଣ ହୁଅ ସଚେତନ
ହୁଅରେ ନିସ୍ବାର୍ଥପର
ଗଣତନ୍ତ୍ରର ଏ ଆହ୍ବାନକୁ ତୁମେ
ସାଦରେ ଗ୍ରହଣ କର||
ଗଣତନ୍ତ୍ର ଲାଗି ଜାଗ୍ରତ ପ୍ରହରୀ
ସାଜ ଆହେ ଜନଗଣ
ତା'ର ସଫଳତା ତୁମରି ହାତରେ
ସର୍ବେ ହୁଅ ସଚେତନ||