ଗଣତନ୍ତ୍ର
ଗଣତନ୍ତ୍ର
ସକାଳର ଖରା ଭାରି ଶୁନ ଶାନ୍
ତା ସାଙ୍ଗକୁ ଆହୁରି ନିଛାଟିଆ ଲାଗେ
ବିଛେଇ ହୋଇ ପଡିଥିବା
ଶୀତ ସକାଳର କୁଆସା
କେଜାଣି କୋଉଠି ଅଘଟଣ ଘଟିନି ତ ?
ମିଛେଇ ମନର ଭାବନାରେ
ଜୁଡୁବୁଡୁ ହୃଦୟଟା
ଛଟ ପଟ୍ ହେଉଛି କାହିଁକି ?
ଶୂନ୍ୟ ସକାଳର ଛାତି ଚିରି
ଯେମିତି ଭାସି ଆସୁଛି କାହାର ଆର୍ତ୍ତ ଚିତ୍କାର ?
ମୋତେ ରକ୍ଷା କର ….
ମୋତେ ରକ୍ଷା କର……
ମଣିଷ ମାଂସ ଖିଆ କବଳରୁ
ନିରୀହ ଝିଅଟିଏ
ଅବଳା , ଦୂର୍ବଳା
ଦୁନିଆ ଦେଖିବା ଆଗରୁ
ଦେଖିବାକୁ ହୁଏ ଲଜ୍ଜାର ଦୁନିଆ
କେହି ଜଣେ ଦୂର୍ବୁତ୍ତ ଝାମ୍ପି ନେଉଛି
ତାକୁ ତାର ଦୁନିଆରୁ
ଆଦିମ ପିପାସୁକୁ ମେଣ୍ଟାଇବାକୁ ଯାଇ
ଖିନ ଭିନ କରିଛି ଦେହ
କିଛି ଭାବିବା ଆଗରୁ
ଆବିଷ୍କୃତ ହୁଏ ହସ୍ପିଟାଲ୍ ରେ
ଦେଖେ ବେଡର ଚାରିପାଖେ
ଗଣ ମାଧ୍ୟମ ପ୍ରତିନିଧି
ମହିଳା ସଂଗଠନ ପ୍ରତିନିଧି
ପୋଲିସ ଆଉ ଅନେକ ଲୋକ
କଣ କରିବ ସିଏ ?
କାହାକୁ କହିବ ?
ପୋଲିସ ତାକୁ ପଚାରୁଛି
କିପରି କହିବ ସେ ଲଜ୍ଜାର କଥା
ଭାବୁ ଭାବୁ ମାଡିଆସେ ଘୋର ଅନ୍ଧକାର
ଆଖି ଚାରିପାଖେ କାୟା ବିସ୍ତାର କରି
ମୂର୍ଚ୍ଛା ଯାଏ କ୍ଷଣିକରେ ….
ସେହି ମଣିଷ ରୁପି ବ୍ୟାଘ୍ର ର
ନଖ ରାମ୍ପୁଡ଼ା ଠାରୁ
ଆହୁରି କଷ୍ଟ, ଆହୁରି ଭୟାନକ
ପୋଲିସ ଆଉ ଅନ୍ୟ ମାନଙ୍କ
ପ୍ରଶ୍ନର ଉତ୍ତର ଦେବା ….
ପାରେନି ସେ ନିଜକୁ ସମ୍ଭାଳି
ଗୋଟିଏ ପ୍ରସ୍ପୁଟିତ କଳିକା
ଫଳରେ ପରିଣତ ହେବା ଆଗରୁ
ବୃନ୍ତଚ୍ୟୁତ ହୁଏ …
ପ୍ରଶ୍ନ ଉଠେ ଏଠି ବାରମ୍ବାର
କାହିଁକି ହୁଏ ଏମିତି
ଏହି କି ଆମର ସଭ୍ୟତା ?
ଏହା କି ଆମର ଗଣତନ୍ତ୍ର ?
ଏହା ଦ୍ବାରା କ୍ଷୁର୍ଣ୍ଣ ହୁଏନିକି
ଆମର ଗଣତନ୍ତ୍ର ର ଭାବନା ।