ଗଣିତର ଚାରିସୂତ୍ରେ ଗଢ଼ା ଏ ଜୀବନ
ଗଣିତର ଚାରିସୂତ୍ରେ ଗଢ଼ା ଏ ଜୀବନ
ଗଣିତର ଚାରିସୂତ୍ରେ ଗଢ଼ା ଏ ଜୀବନ
ଜନନୀ ଜଠରୁ ତାହା ଆରମ୍ଭ ହୋଇଣ ।
ମଶାଣି ଭୁଇଁରେ ପଡ଼ି ପାଉଁଶ ହୋଇଲେ
ଜୀବନ ଅଛିଣ୍ଡା ଅଙ୍କ ତୁଟଇ କି ଭଲେ ।
ଜୀବନର ପ୍ରତି କ୍ଷଣେ ହୁଏ ଅନୁଭବ
ଗାଣିତିକ ସୂତ୍ରେ ଗଢ଼ା ଅଟଇ ଏ ଭବ ।
ମିଶାଣରେ ହସ ଖୁସିରସର ମୂର୍ଚ୍ଛନା
ବୀଣା ଜିଣା ଝଙ୍କାରରେ କରାଏ ଉନ୍ମନା ।
ଆବେଗ ଆହ୍ୱାନ ଧାରା ଜାରି ରଖି ନିତି
ଅଭିନବ ପ୍ରୟାସରେ ଯାଏ ଦିନ ବିତି ।
ଯେତେ ଯାହା ସବୁ ଭଲମନ୍ଦ ପାପପୂଣ୍ୟ
ଗୁଣ , କୀର୍ତ୍ତି , ଯଶ, ଖ୍ୟାତି , ଧରମ , ସମ୍ପନ୍ନ ।
ହୋଇ କ୍ରମେ କ୍ରମେ ଧୀରେ ଅଗ୍ରଗତି ନେଇ
ସମୀକ୍ଷା କରଇ ଅନୁମାନକୁ ଲଗାଇ ।
ମିଶାଣ ଫେଡ଼ାଣ କରେ ପାପ ଓ ପୂଣ୍ୟର
କରେ ଆକଳନ ନିଜ କାର୍ଯ୍ୟ ଓ ଭାଗ୍ୟର ।
କର୍ମା କର୍ମ ଧର୍ମା ଧର୍ମ ସଂସ୍କୃତି ଚେତନା
ପ୍ରବୃତ୍ତି , ନିବୃତ୍ତି , ବୈରାଗ୍ୟ , ଓ ବିବେଚନା ।
ବୁଦ୍ଧି , ବୃତ୍ତି , ବିଚାର ଓ ଚିନ୍ତା ଅନୁଯାୟୀ
ଗଣିତର ଚାରିସୂତ୍ରେ ଗଢ଼ା ଏ ହୁଅଇ ।
ସ୍ନେହ , ଶ୍ରଦ୍ଧା , ପ୍ରେମ , ପ୍ରୀତି ଆଦି ଭାବଧାରା
ଚମତ୍କାର ଭାବେ ଯହିଁ ରଚି ଚାଲେ ଲୀଳା ।
କରେ ତାହା ଅନୁରୂପ ଫଳ ସିଦ୍ଧିଲାଭ
ଜୀବନ ପବିତ୍ର କରେ ଦିବ୍ୟ ଅନୁଭବ ।
ଆନନ୍ଦ , ବିଷାଦ , ଶୋକ , ଆଦି ଯେତେସବୁ
ଜୀବ ଜୀବନେ ଲଭଇ , ଚାରିସୂତ୍ର ହେତୁ ।
