STORYMIRROR

Shashanka sekhar Ray

Tragedy Others

3  

Shashanka sekhar Ray

Tragedy Others

ଗଣିକା

ଗଣିକା

1 min
393

ଜୀବନ ସମୁଦ୍ର ମନ୍ଥନେ

ନୀଳକଣ୍ଠ ସାଜି

ପିଇଦିଅ ସବୁ ହଳାହଳ

ରୂପର ଦୀପାଳୀ ଜାଳି

ଆଖିରେ ଇଶାରା ଦେଇ

କରୁଥାଅ ସମସ୍ତଙ୍କୁ ପାଗଳ ।


ଫୁଙ୍ଗୁଳା ଦେହର ସୁଗନ୍ଧେ

ଆଦିମ ରାକ୍ଷସଟା କୁଦାମାରେ

ଖାଇବାକୁ କଞ୍ଚାମାଂସ

କିଣାବିକା ହାଟେ

ତୁମ ଇଚ୍ଛା ଅନିଚ୍ଛାରେ

ବିକ୍ରି ହୋଇଯାଏ କିଛି ଶୋଷ ।


ବର୍ଦ୍ଧିତ ନାଡିର ସ୍ପନ୍ଦନେ

କୋଣାର୍କର ନଗ୍ନ ଶିଳାକୃତୀ 

କଥା କୁହେ ଝୁମ୍ପୁଡି ବସ୍ତିରେ

ଅଲରାବାଳ ଶାଢୀ ଆଉ ନାଲିଓଠ

ସାରିଭିଡି ଭାଙ୍ଗିଦିଏ ଦୀର୍ଘ ଅଳସ

ତଥାପି କାହିଁକି ଭୋକ ମରେନି ପେଟରେ ।


ଭୋକର ପେଡିରେ 

ଶୋଇଥାଅ ଗୁଡେଇ

ସାପୁଆ କେଳାର ଶରଣେ

କାହା ମନ ମନ୍ଦିରେ ନାହିଁ ତୁମ ପ୍ରତିମା

କାହିଁକିନା ଶାଳଗ୍ରାମ ତୁମ ଲୁଣ୍ଠିତ

କେବେଠୁ କଳା ପାହାଡ ଆକ୍ରମଣେ ।


କେହି କେବେ ପଚାରନ୍ତିନି ପରିଚୟ

ତୁମ ବରଗଛ ଛାଇରେ

ଥକା ମେଣ୍ଟାଇ ଚାଲିଯାନ୍ତି

ଏକ ମୁହାଁ ହୋଇ ଯିଏ ଯାହା ବାଟରେ

ତୁମେ କିନ୍ତୁରହିଯାଅ ସେମିତି

ଅନ୍ଧାରି ଝୁମ୍ପୁଡି ବସ୍ତିରେ

ଓଠେ ଗୋଲାପି ରଙ୍ଗ ଆଖିରେ କଜ୍ଜଳ ବୋଳି

ପେଟ ପାଇଁ ଇଶାରା ଦେଇଚାଲିଥାଅ

ନୂଆନୂଆ ଗ୍ରାହକ ଅପେକ୍ଷାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy