ଗଣେଶ ପୂଜା
ଗଣେଶ ପୂଜା
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ହୁଅଇ ଗଣେଶ ପୂଜା
ଶିକ୍ଷା ଅନୁଷ୍ଠାନ, ବ୍ୟବସାୟ କେନ୍ଦ୍ର
ହୋଇଥାଏ ସାଜସଜ୍ଜା।
ପୁରାଣ ବର୍ଣ୍ଣନା ଅନୁସାରେ ମାତା
ପାର୍ବତୀଙ୍କ ଅଙ୍ଗରାଗ
ବିଷ୍ଣୁ ଜୀବନ୍ୟାସ ଦେଲେ ଶ୍ରୀ ଗଣେଶ
ପ୍ରଭୁଙ୍କର ହେଲା ଜନ୍ମ।
ମାତା ପାର୍ବତୀ ଗୁହାଦ୍ଵାର ଜଗାଇ
ଭିତରେ ଧ୍ୟାନ କରିଲେ
ମହାଦେବଙ୍କୁ ଯିବାକୁ ଛାଡ଼ିଲନି
ରାଗରେ ଶିର କାଟିଲେ।
ଦେଖିଣ ପାର୍ବତୀ କ୍ରନ୍ଦନ କରିଲେ
ଶିବ ହୋଇଲେ ବିସ୍ମିତ
ମୋ ପୁତ୍ରକୁ ପ୍ରଭୁ ମାରିଲ ଶ୍ରୀ ହସ୍ତେ
କିସ କହିବ ଜଗତ।
ହସ୍ତୀର ମସ୍ତକ ଆଣି ଭୋଳାନାଥ
ତୁମ ଶିରେ ଲଗାଇଲେ
ଗଜାନନ ବୋଲି ନାମ ଦେଲେ ଦେବେ
ସର୍ବାଗ୍ରେ ପୂଜିତ ହେଲେ।
ଗଣ ଙ୍କର ଇଶ ନାମ ଶ୍ରୀ ଗଣେଶ
ମୋଦକ ତୁମରି ପ୍ରୀୟ
ବିଦ୍ୟା ବୁଦ୍ଧି ଦାତା ପ୍ରଭୁ ବିନାୟକ
ଏକଦନ୍ତ ଦୟା ମୟ।
ସିନ୍ଦୂର ଶୋଭିତ ମସ୍ତକ , ସ୍କନ୍ଧରେ
ଯଜ୍ଞଉପବୀତ ଶୋଭେ
କଣ୍ଠରେ ମୁକ୍ତାମାଳଟି ବିରାଜଇ
ପୂଜା ପାଅ ସର୍ବ ଅଗ୍ରେ।
ବିଶ୍ଵପରିକ୍ରମା ରେ ବଡ ଭାଇଙ୍କୁ
ବୁଦ୍ଧିରେ ପରାସ୍ତ କଲ
ପିତା ମାତାଙ୍କ ଚତୁପାର୍ଶ୍ଵରେ ବୁଲି
ଜଗତେ ମହାନ ହେଲ।
ବିଘ୍ନ ନାଶକର ବୋଲି ତୁମ ନାମ
ଅଟେ ବିଘ୍ନ ବିନାଶନ
ତୁମ ଦୟା ବଳେ ମୂର୍ଖ ହୁଏ ଜ୍ଞାନୀ
ମହା ପଣ୍ଡିତରେ ଗଣ୍ୟ।
ମୂଷିକ ବାହନ ଗିରିଜାନନ୍ଦନ
ମହା ପ୍ରଭୁ ଲମ୍ବୋଦର
ଅଜ୍ଞାନ ଅନ୍ଧାର ଦୂର କରି ପ୍ରଭୁ
ଜ୍ଞାନାଲୋକ ଦାନ କର।
