ଗଣେଶ କୁହନ୍ତି
ଗଣେଶ କୁହନ୍ତି
ଗଣେଶ କୁହନ୍ତି ବାବୁରେ
ଯଦି କବିଟି ହେବୁ,
ସର୍ବଦା ମା'ବିଣାପାଣୀଙ୍କୁ
ମନ ମଧ୍ୟେ ଜପିବୁ ।
କୂଟ କପଟ ତୋ ଦେହରୁ
ଯେତେ ଦୂରେ ଫିଙ୍ଗିବୁ,
ଗର୍ବ ଅହଂକାର ହୃଦରେ
ତିଳେହେଁ ନ ଆଣିବୁ ।
ନିଜର ପ୍ରଶଂସା କା' ଆଗେ
କେବେ କରିବୁ ନାହିଁଁ,
ଯଦି ଜ୍ଞାନୀ କହୁ ତୋ ପାଖୁଁ
ମାଆ ଯିବେ ଦୂରେଇ ।
ଲେଖନୀ ତୋହର ବାବୁରେ
ଆଉ ଚାଲିବ ନାହିଁ,
ଯେତେ ଖୋଜିଲେ ବି ଶବ୍ଦଟି
ଆଉ ପାଇବୁ କାହିଁ?
ଅନ୍ୟର କବିତା ଶ୍ରଦ୍ଧାରେ
ଯଦି ତୁ ପଢୁଥିବୁ,
ନିଜର ଜ୍ଞାନଟି ବଢିବ
ତେଣୁ ଲେଖି ପାରିବୁ ।
ସାହିତ୍ୟ ଆସର ଗଲେ ତୁ
ଯେତେ କବି ଦେଖିବୁ,
ସମସ୍ତଙ୍କୁ ଯୋଡ ହସ୍ତରେ
ନମସ୍କାର କରିବୁ ।
ବେଶୀ ଶୁଣିବୁ ତୁ ଅଳପ
ଚର୍ଚ୍ଚା ସେଠି କରିବୁ,
ଅନ୍ୟର କବିତା ଶୁଣି ତୁ
ତାଳି ନିଶ୍ଚେ ମାରିବୁ ।
ସମ୍ବର୍ଦ୍ଧନା ପଛେ ବାବୁରେ
କେବେ ପଡ଼ିବୁ ନାହିଁ,
ସାଧନା ରଖିଲେ ସମ୍ମାନ
ଆପେ ଆସି ମିଳଇ ।
ପଦପଦବୀରେ ଅନେକ
ବାବୁମାନେ ଅଛନ୍ତି,
ସମସ୍ତେ ଲେଖନୀ ଚାଳନା
କିବା କରିପାରନ୍ତି?
ସାରସ୍ବତ ଶିକ୍ଷା ସାଧନ
ସରସ୍ବତୀଙ୍କ ଦାନ,
ସବୁଠାରେ ମିଳେ ଆଦର
ପୁଣି ବଢେ ସମ୍ମାନ ।
ଅନ୍ୟର ଦୁର୍ଗୁଣ ନ ଦେଖି
ନିଜ ତ୍ରୁଟି ଦେଖିବୁ,
ସମାଲୋଚନା ତୁ କାହାକୁ
କେବେ ବି ନ କରିବୁ ।
ଅନ୍ୟର ପ୍ରଶଂସା ଶୁଣିଲେ
ମନେ ଖୁସି ହୋଇବୁ ,
ଅନ୍ଯଠୁଁ ଜ୍ଞାନ ଶିଖିବାକୁ
ସଦା ଚେଷ୍ଟା କରିବୁ ।
ନିଜ ବାହାଦୂରୀ ଦେଖେଇ
କେହି ବଡ ହୋଇନି,
ଅହଂ ଭାବ ରଖି ମାଆଙ୍କୁ
କେହି ପାଇପାରିନି ।
ଗଣେଶ କୁହନ୍ତି ବାବୁରେ
ଯଦି କବିଟି ହେବୁ,
ସମାଜ ହିତରେ ବାରତା
ଲେଖା ମଧ୍ୟେ ରଖିବୁ ।
ଯେଉଁ ବାଣୀ ତୁହି ଲେଖିବୁ
ନିଜେ ତାକୁ ମାନିବୁ,
ନ ମାନି ଅନ୍ୟକୁ କହିଲେ
ନିଜ ଜ୍ଞାନ ହାରିବୁ ।
କବିର କଲମ ଅଟଇ
ଶକ୍ତିଶାଳୀ କମାଣ,
ଯାହା ଦ୍ଵାରା ସାରା ସଂସାରୁ
ଦୂର ହୁଏ ଦୁର୍ଗୁଣ ।
ଗଣେଶଙ୍କ ମୁଖ ବଚନ
କବି ଲେଖକ ଶୁଣ,
ଏକଥାକୁ ଯଦି ମାନିବ
ପୂଜା ପାଇବ ଜାଣ ।
ସମସ୍ତେ ମରିବେ ଏଠାରେ
ଜଣେ ମରିବ ନାହିଁ,
ଅମୃତ ସୃଜନୀ ଭିତରେ
କବି ବଞ୍ଚି ରୁହଇ ।