ଘୃଣା
ଘୃଣା
ସଂସାର ଅଟଇ ଈଶ୍ବରଙ୍କର ।
ସଭିଏଁ ନିଜର କେ ନୁହେଁ ପର ॥୧॥
କାହାରିକୁ କିଆଁ ଘୃଣା କରିବ ।
ଆଜି କଥା କିବା କାଲିକି ଥିବ ॥୨॥
ସର୍ବେ ନିଜ କର୍ମଫଳ ଭୋଗନ୍ତି ।
ସଂସାର ଚକ୍ରରେ ଘୁରି ବୁଲନ୍ତି ॥୩॥
ସାନ ବଡ ଭେଦ ମନରୁ ଭୁଲ ।
ଘୃଣାଭାବ କେବେ ନୁହଇ ଭଲ ॥୪॥
ଆଜିର ରାଜେନ୍ଦ୍ର କାଲି ଫକୀର ।
କାଲି ରାଜା ସାଜେ ସଦ୍ୟ ଫକୀର ॥୫॥
କାଳଚକ୍ର ସଦା ଘୁରି ବୁଲୁଛି ।
କାହାକୁ କେଉଁଠି ନେଇ ଥୋଉଛି ॥୬॥
ଧନୀ ଗରିବକୁ ଘୃଣା କରୁଛି ।
ହୀନ ଦୃଷ୍ଟିରେ ସର୍ବଦା ଦେଖୁଛି ॥୭॥
ନୀରୋଗ କରୁଛି ରୋଗୀକୁ ଘୃଣା ।
ରୋଗୀ ସିନା ସଦା ଲୋଡେ କରୁଣା ॥୮॥
ଦୟାର୍ଦ୍ର ଚିତ୍ତ ତୁମେ ସଦା ହୁଅ ।
ଘୃଣାଭାବ ମନୁଁ ସଦା ହଟାଅ ॥୯॥
ଘୃଣିତ ଭାବ କର ପରିହାର ।
ଘୃଣା ଶବଦକୁ ତୁଣ୍ଡେ ନ ଧର ॥୧୦॥
କୁତ୍ସିତ ଭାବ ମନେ ଆଣେ ଘୃଣା ।
ସନ୍ଥଙ୍କର ଭାବ ଆଣେ କରୁଣା ॥୧୧॥
ଜାଗି ଜଗାଇବ ଇତର ଜନେ ।
ଘୃଣାଭାବ କେବେ ନ ଆଣ ମନେ ॥୧୨॥
ଭାବରେ ବିଦ୍ୟମାନ ସଦା ଦେବ ।
ଭାବ ଭକତିକୁ ହୃଦେ ଧରିବ ॥୧୩॥
ମିତ୍ର ଅବା ଶତ୍ରୁ କାହାରି ପ୍ରତି ।
ଘୃଣାଭାବ କେବେ ନଆଣ ମତି ॥୧୪॥
ଘୃଣା ଜାଗେ ଯଦି କାହାରି ପ୍ରତି ।
ପ୍ରଥମେ ଅଶାନ୍ତ ତୁମରି ମତି ॥୧୫॥
ଚିତ୍ତକୁ ଅଶାନ୍ତ ନକର କେବେ ।
ବିମଳ ଉର୍ଜା ଲାଭ ହେବ ତେବେ ॥୧୬॥
ଘୃଣାଭାବ ମନେ କେବେ ନଧର ।
ଶାନ୍ତ ଚିତ୍ତକୁ ଅଶାନ୍ତ ନକର ॥୧୭॥
ଘୃଣା ଜାତ ହେଲେ କାହାରି ପ୍ରତି ।
ଭଲ ଗୁଣ ତାର ଦେଖ ଝଟତି ॥୧୮॥
ଘୃଣାଭାବ ତୁମ ହୋଇବ ଦୂର ।
ତାହାକୁ ତୁମେ କରିବ ଆଦର ॥୧୯॥
ହଟିବ ମନରୁ ଘୃଣା ବାସନା ।
ଏ ଧରା ସୁନ୍ଦର ହୋଇବ କିନା ॥୨୦॥
