ଘର
ଘର
ଦୁନିଆ ଯାକର ସୁଖ ମୁଁ ପାଇଛି
ଦୁଃଖର ଦିହୁଡ଼ି ଜାଳି
ହଜିବା ବାଟରେ ଜାବୁଡ଼ି ଧରିଛି
ମୋ ମାଆର ମିଠା ଗାଳି ।
ସ୍ନେହ,ଶରଧାର ଚାଳ ଛପରରେ
ପ୍ରେମକୁ କରିଛି ରୁଅ
ମମତାର ଝୋଟି ଲିପି ଦେଇଅଛି
ଏ ଘରର ସାନ ଝିଅ ।
ଆଶାର କିରଣ ବୁଣି ବୁଣି ଯିଏ
ସପନ ଦିଏ ସାଇତି
ନିଜ ଲୁହ ନିଜେ ପିଇ ପିଇ ନିତି
ଆମକୁ ଦିଏ ଶକତି ।
ସିଏ ପରା ଆମ ସାହସର ସେତୁ
ଭରସା'ର ରଙ୍ଗେ ଲିପା
ଦୟାର ଦୁଆରେ ଦାନୀ ବୋଲି ଜଣା
ମୋ ପୂଣ୍ୟର ପ୍ରିୟ ବାପା ।
ମାଆର ମମତା,ବାପାଙ୍କ ଆକଟ
ଅଜା,ଆଈ'ଙ୍କର ଗେଲ
ଭାଇ ଭଉଣୀଙ୍କ କଳି ତକରାଳ
ସେ ପରା ଅମୂଲ ମୂଲ ।
କେତେ ରାଜାରାଣୀ,ବାଘର କାହାଣୀ
ବୁଢ଼ୀ ଅସୁରୁଣୀ ଗପ
କେତେ ଜହ୍ନରାତି ଯାଇଛି ଯେ ବିତି
ଲିଭିନି ଜୀବନ ଦୀପ ।
ଦୟା ଓ କ୍ଷମାର ଗୁଣକୁ ଆବୋରି
କରିଛି ମୋ ଜପାମାଳି
ସଂଜ ଓ ସକାଳେ ବାପା ବୋଉଙ୍କର
ନେଇଛି ଚରଣ ଧୂଳି ।
ତାଙ୍କ ଆଦରଶ, କିରତୀ'କୁ ଧରି
ପାରିହେବି ଭରା ନଈ
ଆସୁ ଯେତେ ଝଡ଼, କାଳ ବଇଶାଖି
ଜଳିବା ଆଗରୁ ଜୁଇ ।
