ଘୋଷଯାତ୍ରା
ଘୋଷଯାତ୍ରା
ଆସରେ ମିତ ଆସ ସଙ୍ଗାତ
ଦେଖିବା ଆସ ଗୁଣ୍ଡିଚା ଯାତ ।
ବଡ ଦାଣ୍ଡରେ ଜନ ଗହଳି
ଶଙ୍ଖ ନାଦରେ ପଡେ ଉଛୁଳି ।
ଆଷାଢ ଶୁକ୍ଳ ଦିତୀୟା ତିଥି
ଦେଖିବ ଜଗତ ଜଗା ପୀରତି ।
ଭାଇ ଭଉଣୀଙ୍କୁ ସାଙ୍ଗେ ଧରି
ଶ୍ରୀମନ୍ଦିରରୁ ଗଲେ ବାହାରି ।
ପହଣ୍ଡି ହେବେ ଚାରି ଠାକୁର
ଆହାକି ଦୃଶ୍ୟ କି ମନୋହର ।
ମୁଣ୍ଡେ ରଙ୍ଗଣି ଟାହିଆ ଥିବ
ଭକତ ଭାବେ ବନ୍ଧା ହୋଇବ ।
ଦଇତାପତି ଆଣେ ଝୁଲେଇ
ଘଣ୍ଟଘଣ୍ଟା ତାଳେ କମ୍ପେ ମହୀ ।
ଚାରମାଳ ରଥେ ବନ୍ଧା ହୋଇବ
ରଥେ ଡାହୁକ ଡାକ ଛାଡିବ ।
ନନ୍ଦିଘୋଷରେ ଜଗତନାଥ
ଦେଖି ଭକତ ଟେକୁଛି ହାତ ।
ତାଳଧ୍ବଜରେ ବାବା ବଳିଆ
ଦେବଦଳନେ ସୁଭଦ୍ରା ମାଆ ।
ଲକ୍ଷେ ରାଜାର ମଉଡମଣୀ
ବିଶ୍ବ ଚକିତ ଶୁଣି କାହାଣୀ ।
କରନ୍ତି ରଥେ ଛେରାପହଁରା
ଏ ପରମ୍ପରା ଅଟେ ନିଆରା ।
ବାଟରେ ପଡେ ମାଉସୀ ଘର
ପୋଡପିଠାରେ ମନ ଜଗାର ।
ଭକ୍ତ ଭାବରେ ବନ୍ଧା ହୋଇଛି
ସାଲବେଗ ପାଇଁ ଅଟକିଅଛି ।
ପତିତ ଜନ ଉଦ୍ଧାର ପାଇଁ
ମନ୍ଦିର ଛାଡି ଆସିଲ ଧାଇଁ ।
କୋଟି ଭକ୍ତଙ୍କୁ ନେଲ କୋଳେଇ
ଦୀନଜନଙ୍କ ଠାକୁର ତୁହି ।
ହେରାପଞ୍ଚମୀ ଦିନଟି ଜାଣ
ଏହି ଦିନଟି ସ୍ବତନ୍ତ୍ର ପୁଣ ।
ମୀ ଲକ୍ଷ୍ମୀ ରାଗି ଭାଙ୍ଗିଲେ ରଥ
ଦକ୍ଷିଣ ମୋଡ ହୋଇଲା ରଥ ।
ନବମୀର ଯେ ସନ୍ଧ୍ୟା ଦର୍ଶନ
ଦେଖି ସନ୍ତୋଷ ଭକତ ମନ ।
ବାହୁଡୁଛନ୍ତି ଜଗତନାଥ
ଏ ଘୋଷଯାତ୍ରା ବିଶ୍ବ ପ୍ରସିଦ୍ଧ ।
ରଥରେ ଦେଖିଲେ ସୁନାବେଶ
କୋଟି ଜନ୍ମର ପାପ ନାଶ ।
ଅଧର ପଣା ଭଙ୍ଗା ହୋଇଲା
ନବ ଦିନର ଯାତ୍ରା ସରିଲା ।