ବର୍ଷାବର୍ଣ୍ଣନା
ବର୍ଷାବର୍ଣ୍ଣନା
ବରଷା ରସାରେ ହେଲା ପ୍ରବେଶ
ସରସ ରସଦ ସୁସମାବେଶ ।
ଅସିତ ସିତ ଧୂସର ବର୍ଣ୍ଣର
ବିଚିତ୍ର ଚିତ୍ର ପ୍ରକାଶେ ଅମ୍ବର ।
ସୌଦାମିନୀ ଦାମିନୀର ମିଳନ
ଘନଜ ନଜର ଭୀମ ଗର୍ଜନ ।
ନିର୍ଘାତ ଘାତ ପ୍ରବଳ ବରଷା
ନୀରସା ରସାକୁ କରେ ସରସା ।
ଅମ୍ବର ବରଦ ଶକ୍ର ଶାୟକ
ସାତରଙ୍ଗ ତରଙ୍ଗର ବାହକ ।
ବସୁଧା ସୁଧା ରସରେ ପୂରିତ
କୃଷିର ଶୀର୍ଷକ ହୁଏ ବର୍ଦ୍ଧିତ ।
ଉଲ୍ଲାସ ଲାସ୍ୟରେ ପ୍ରକୃତି ରାଣୀ
ବିବିଧ ଵିଧାନେ ଦର୍ଶାଏ ଠାଣି ।
ମୌସୁମୀ ସୁମିତ ଯାମିନୀ ରମ୍ୟ
ଆତପ ତପତି ବିନାଶେ କ୍ଷମ ।
ବିରହୀ ରହି ନପାରେ ପ୍ରବାସେ
କନ୍ଦର୍ପ ଦର୍ପରେ ଫେରେ ସ୍ୱବାସେ ।
ନିର୍ଝର ଝର୍ଜର ପର୍ବତୁ ଝରେ
ତମାଳ ମାଳତୀ ମାନସ ହରେ ।
ନଳିନ ଲୀନ କ୍ରମଶଃ ସରସେ
କୁମୁଦ ମୁଦ କୌମୁଦୀ ପରଶେ ।
ଖଦ୍ୟୋତ ଦ୍ୟୋତକ ନିଶିମୁଖରେ
ଦର୍ଦ୍ଦୁର ଦୁରନ୍ତ କୁରବ କରେ ।
ଝିଙ୍କାରି କାରିତ ଝିଁ ଝିଁ ନିଃସ୍ୱନ
ସୁଷୁପ୍ତି ସୁପ୍ତିରେ ବାଧା ଉତ୍ପନ୍ନ ।
ବରଷା ରସା ପ୍ଲାବଇ ଆସାରେ
ବନ୍ୟା ନ୍ୟାସେ ଧୂଳି ଚାଷୀ ଆଶାରେ ।
ରଥରେ ଥରେ ବସନ୍ତି ମାଧବ
ଚିତାଲାଗି ଲାଗି କୃଷି ପରବ ।
ବରଷା ରସାଇ ପାଳେ ଜଗତ
ବର୍ଷକ ସକାଶେ କ୍ଷେତ ଅକ୍ଷତ ।
ଆଦ୍ୟ ଚ୍ୟୁତାକ୍ଷରେ ବର୍ଷା ବର୍ଣ୍ଣନା
କବିକଞ୍ଜ ଜଗନ୍ନାଥ ରଚନା ।