ଗଛଟିଏ ମୁଁ ଗଛଟିଏ
ଗଛଟିଏ ମୁଁ ଗଛଟିଏ
ସବୁଜ ପତର ଗହଳ ଭିତରୁ
ହସିହସି ଫୁଲ କଳିଟିଏ
କହୁଛି ହେ ପ୍ରିୟ ମଣିଷ ଭାଇ ମୋ
ଶୁଣିବ କହିବି କଥାଟିଏ ।
ରାତି ପାହି ଯେବେ ହୋଇବ ସକାଳ
ମୁହଁରେ ଫୁଟାଇ ହସ
ଭରିବି ମୁଁ ରଙ୍ଗ ଆଲୋକ କିରଣେ
ଚହଟି ଉଠିବ ବାସ ।
ଶରଧା ଚିତ୍ତରେ ତୋଳିନେଇ ମୋତେ
ଗୁନ୍ଥିଦେବ ତୁମେ ମାଳ
ଆମର ସୁମନ ସମ୍ବନ୍ଧ ନିବିଡ଼
କାହିଁ ଜନ୍ମ ଜନ୍ମାନ୍ତର ।
ଭାବ ସୁସମ୍ପର୍କେ ସ°ସାର ସୁନ୍ଦର
ଦିବ୍ୟ କୃପା ହୁଏ ଲାଭ
ବାଣ୍ଟିଲେ ମମତା ଖୁସି ଓ ଆନନ୍ଦ
ମିଳଇ ସୁଖ ବୈଭବ ।
ଫୁଲଟିଏ ମୁଁ ଫୁଟଇ ଗଛରେ
ବଢାଏ ମୋ କୁଳ ଶୋଭା
ଭକ୍ଷି ଅଙ୍ଗାରକ ହରେ ଦୁଃଖଶୋକ
ପ୍ରାଣେ ଭରେ ସତେଜତା ।
ଏଇ ମାଟି ଆମ ଜନନୀ ଧରଣୀ
ବିଶ୍ବାସର ମୂଳ ସିଏ
କାହାର କଷଣ ଦେଖିଲେ ମନରେ
କଷ୍ଟପାଏ ଭାରି ସିଏ ।
ବଞ୍ଚି ଶିଖ ନିଜେ ବଞ୍ଚିବାକୁ ଦିଅ
ହେଉ ଫୁଲ ଅବା ଗଛଟିଏ
ଲଗାଅ ଯତନେ ଚାରା ଗଛଟିଏ
ଉପକାରୀ ତୁମ ସିଏ ।
-----