ଆଶିଷ ଦେ ମା
ଆଶିଷ ଦେ ମା
ପୁଣ୍ୟମୟୀ ମାତା କାନ୍ଦୁଛି ଦୁହିତା
ଆଖିର ଲୁହରେ ଡାକଇ ତୋତେ ,
ସମୟ ହୋଇଛି ବିପରୀତ ଆଜି
ଢ଼ାଳିଦେ କରୁଣା ଆଶିଷ ଯେତେ ।
କେଉଁ ଆଡ଼େ ନାହିଁ ଗହଳ ଚହଳ
କାନ୍ଦେ ଗାଆଁ ବିଲ ଗୋହିରି , ପାଟ ,
ପାର୍ବଣ ସ୍ଵାଗତ ସମ୍ଭାରେ ଦେବୀ ମା
ଖୁସିବାସି ନାହିଁ ମନେ ଉଚ୍ଚାଟ ।
କାଶତଣ୍ଡୀ ଆଉ ଶେଫାଳୀ ସୁନ୍ଦରୀ
ପଡିଲେଣି ଲୋଟି ବରଷା ମାଡ଼େ,
କରୋନା ଭୁତାଣୁ କବଳେ ମଣିଷ
ନିତି ପ୍ରତିଦିନ କା' ମୁଣ୍ଡ ଗଡ଼େ ।
ପାପୀ ,ଅପରାଧୀ ଅଧର୍ମୀ , ବିଧର୍ମୀ
ସବୁ ଏକଜୋଟ ଆଜି ଧରାରେ ,
ବଳାତ୍କାର , ହତ୍ୟା ନାହିଁନାହିଁ ରକ୍ଷା
ସଇତାନ୍ ହସେ ନାରୀ ରକ୍ତରେ ।
ସୁରକ୍ଷା ନାମରେ ଶୋଷଣ ଚାଲିଛି
ମରଣ ଦୁଆରେ ବଳି ପଡ଼ୁଛି ,
ସହାନୁଭୂତିର ଶତ ସ୍ଵର ଉଠେ
ନାରୀ ଲହୁ,ଲୁହେ ଧରା ଭିଜୁଛି ।
ହଜାରେ ମିନତି ଲକ୍ଷେ ପ୍ରତିଶ୍ରୁତି
ଆଇନ ଆଖିରେ ଧୂଳି ଦେଉଛି ,
ତାରିଖ, ତାରିଖ ବର୍ଷ ପରେ ବର୍ଷ
ଗଡ଼େଇ ଦୋଷୀଟି ଖସି ଯାଉଛି ।
ସକଳ ବିଷୟ ବାସନାର ଜାଲ
ଚାରିପଟେ ତା'ର ରହିଛି ଘେରି ,
କେତେବା ଲଢ଼ିବ ଅବଳାର ପ୍ରାଣ
ଜୀବନ ସଂଗ୍ରାମେ ଯାଉଛି ହାରି ।
ମା ' ଦୁଃଖ ହାରିଣୀ ଜଗତ ଜନନୀ
ଇଶ୍ୱରୀୟ ଶକ୍ତି ମହିମା କେତେ,
ଶକ୍ତିମୟୀ ମାତା ତୋ ଶକ୍ତି ବଳରେ
ହରଣ କରିଦେ ପାପୀ ଜଗତେ ।
