ଗଛଲତା ଆମ ମିତ
ଗଛଲତା ଆମ ମିତ
ମିତ ଆମର କେତେ ସୁନ୍ଦର
ସବୁଜ ଗଛଲତା
କରଇ ସଦା ହିତ ସାଧନ
ସେ ଆମ ଅନ୍ନଦାତା ।
ଯୋଗାଇ ଥାଏ ଖାଦ୍ଯ ଓ ବସ୍ତ୍ର
ସୁସ୍ବାଦୁ ଫଳମୂଳ
ବଞ୍ଚାଏ ପ୍ରାଣ ଔଷଧି ତତ୍ତ୍ବ
ଉଦ୍ଭିଦେ ଭରପୂର ।
ପନିପରିବା ସବୁଜ ପତ୍ରେ
ରହିଛି ଜୀବନିକା
ଖାଇଲେ ଆମେ ସୁଷମ ଖାଦ୍ଯ
ପଶେନି ମନେ ଦକା ।
ଦୂଷିତ ବାୟୂ ଶୋଷଣ କରି
ଦିଏ ସେ ଅମ୍ଳଜାନ
ବଞ୍ଚୁଛୁ ଆମେ ପ୍ରଶ୍ବାସେ ନେଇ
ବିଶୁଦ୍ଧ ତାହା ପ୍ରାଣ ।
ଧରେ ଜାବୁଡି ମାଟିକୁ ଭିଡି
ଗଛର ଚେରମୂଳ
ଯାଏନା ଧୋଇ ଉର୍ବର ମାଟି
ଫସଲ ହୁଏ ଭଲ ।
ଜାଣିଛି ସିଏ କାଉଁରୀ ମନ୍ତ୍ର
ଆକର୍ଷେ ବାଦଲକୁ
ଝରେ ଆକାଶୁ ବରଷା ଟୋପା
ଭିଜାଏ ପୃଥିବୀକୁ ।
ଗଛ ଆମକୁ ଦିଅଇ ଛାୟା
କରଇ ଉପକାର
ଲଗାଇ ଗଛ ଯତନ ନେବା
ସେଚିବା ମୂଳେ ଜଳ ।
------
