ଗଛ
ଗଛ
ଗଛଡାଳେ ଝୁଲେ ପାତି
ଫୁଲରେ ତା ପ୍ରଜାପତି
ଗଛ କୋରଡରେ
ମୋଡିମାଡି ହୋଇ
ସାପ ଛଡାଉଛି କାତି ।
ସାଉଁଟି ତ କୁଟା କାଠି
ଗଣ୍ଠି ପରେ ଛନ୍ଦି ଗଣ୍ଠି
ବସା ବାନ୍ଧିଅଛି
ବାଇଆ ଚଢେଇ
ଗଛଡାଳେ ଝୁଲେ ଏଠି ।
ଆମ୍ବ ବଉଳର ଝୋଟି
ବାସନା ଆସୁଛି ଛୁଟି
ଗଛ ଛାଇରେ ତ
ପିଲାଏ ଖେଳନ୍ତି
ହୁଏ ଯେବେ ସ୍କୁଲ ଛୁଟି ।
ତାଳପତ୍ରେ ହୁଏ ତାଟି
ଝଙ୍କା ଗଛ ଦିଏ ଝାଟି
ମହୁଲ ଗଛରେ
ମହୁଫେଣା ଝୁଲେ
ମହୁ ଝରେ ଫେଣା ଫାଟି ।
ଜଳ,ଜାଳ,ଜଡିବୁଟି
ଖାଦ୍ୟ, ବସ୍ତ୍ର ସବୁ ଏଠି
ଯୋଗାଉଛି ଗଛ,
ଗଛ ବିନା ତୁଛ
ଅନ୍ଧାର ଯାଏରେ ଘୋଟି ।
ଦିନ ପରେ ଆସେ ରାତି
ଗଛମୂଳେ ସଞ୍ଜ ବତୀ
ଜାଳିଦେଇ ଆଈ
ଓଳିଖି ହୁଏ ସେ
ଗଛକୁ ପୂଜଇ ନିତି ।
ଗଛ ବିନା ନାହିଁ ଗତି
ବୁଝୁନି ମଣିଷ ଜାତି
ନିରିମମ ହୋଇ
ଗଛ କାଟୁବୋଲି
ପରିବେଶ ପ୍ରତି ଭିତି।
ଉଜାଡୁଛୁ ବଣ ନିତି
ଗାଁରେ ପସନ୍ତି ହାତୀ
ଗଛ ନାହିଁବୋଲି
ମାଟି ଧୋଇହୋଇ
ନଈକୁ ଦେଉଛି ପୋତି ।
ବଇଶାଖ ମାସ ତାତି
ସୂରୁଯର ତେଜ ଅତି
ଗଛ ନାହିଁ ବୋଲି
ବିଷମ ଗ୍ରୀଷମ
ରୋଗ ହୁଏ ଜାତିଜାତି।
ଗଛ ପରିବେଶ ସାଥୀ
ଗୁଣ ବଖାଣିଲେ ପୋଥି
କାଟିବାନି ଗଛ,
ପଡିଆ ଜମିରେ
ଗଛ ଯିବା ପୋତି ପୋତି ।