ଗାଁ କୂଅ
ଗାଁ କୂଅ
ଗାଁ କୂଅ କଥା କହିବା ପାଇଁକି
ବଳିଅଛି ଆଜି ମନ
ଦି ତିନିଟା କୂଅ ଗାଁରେ ରହିଛି
ଲୋକ ଥିବେ ଶହେ ଜଣ ।
ଗାଁ କୂଅ ମୂଳେ ଚାନ୍ଦିନୀଟେ ନାହିଁ
ପଥର ଦୁଇ ତିନିଟା
ପଡିଛି ସେଇଠି ଲୋକମାନେ ଆସି
କାଚୁଛନ୍ତି ଲୁଗାପଟା ।
କୂଅ ଚଉଦିଗେ ଘାସବଣ ଦେଖ
ସଫାସୁତୁରା ହୁଏନି
କେଉଁଠି ଉଠିଛି କଣ୍ଟାଗଛ କାହିଁ
ନଡିଆ ଗଛ ଫଳିନି ।
ନଡିଆ ଗଛରେ ଗୋରୁ କେ ବାନ୍ଧିଲା
କହିବ କିଏ କାହାକୁ
କହିଲେ ସେ କଥା ଶୁଣିବ ବା କିଏ
ଉପାୟ ନାହିଁ ଏଥକୁ ।
କୋଡିଏ ପଚିଶି ହାତର ଦଉଡି
ଲାଗିଲେ ଆସିବ ପାଣି
ରାତିରୁ କୂଅରୁ ପାଣି ନେଉଥାନ୍ତି
ଗାଁ ବୋହୁ ଭୂଆଷୁଣୀ ।
ଦିନବେଳେ କେହି ପାଣି ନେବାପାଇଁ
କୂଅ ପାଖକୁ ଆସିଲେ
ଆଉ କା ସାଙ୍ଗରେ ଗପସପ କରେ
ଆଉ କାହାକୁ ଦେଖିଲେ ।
ଘରୁ ଯଦି ପାଣି ସରିଗଲା ତେବେ
ଦିନ ଅବା ରାତି ହେଉ
ଗାଁ କୂଅଟିରୁ ପାଣି କାଢି କେହି
ଘରେ ରଖି ଦେଇ ଯାଉ ।
କୂଅର ଢାଙ୍କୁଣୀ ନାହିଁ ସିନା ପାଣି
ଲାଗୁଛି ସୁସ୍ୱାଦୁ ଭାରି
ସୁଶୀତଳ ଜଳ ପିଇବାକୁ ମନ
ହେଉଥାଏ ସଦା ଘାରି ।
ଏବେ ଆମେ ଗାଁ କୂଅଟିକୁ ସଫା
ସୁତୁରା କରି ରଖିବା
ଜଳ ବିଶୋଧନ କରି ସେଇ ଜଳ
ବ୍ୟବହାର ହିଁ କରିବା ।
ଚାନ୍ଦିନୀ ଗୋଟିଏ ତିଆରି କରିବା
କୂଅର ଚାରିପାଖରେ
ନଡିଆ ଗଛ ଘାସ କଣ୍ଟାଗଛକୁ
କାଟି ଦେବା ତତ୍ପରେ ।
ଢାଙ୍କୁଣୀ ଗୋଟିଏ ଘୋଡାଇ ରଖିବା
ଜଳ ରହିବ ନିର୍ମଳ
ଅରଟୀ ଗୋଟିଏ ଲଗାଇବା ସୁବିଧାରେ
ଆଣି ହେବ ଜଳ ।