ଗାଁ ଝୁରିଲା ମା ଝୁରିଲା
ଗାଁ ଝୁରିଲା ମା ଝୁରିଲା
ବେଶି ରୋଜଗାର ଅଧିକ ମଜୁରୀ
ପୁଅ ଯାଇଥିଲା ଦୂରେ
କଥା ଦେଇଥିଲା ଫେରିବ ଘରକୁ
ପଣା ସଙ୍କରାତି ପରେ ।
ମାଆ ଚାହିଁଥିଲା ଫେରିବା ବାଟକୁ
କରୋଣା ଟେକିଲା ଫଣା
ଗାଡି ମଟରତ ଚାଲିଲାନି କିଛି
ପୁଅ ହେଲା ବାଟ ବଣା ।
ମାଆର ଆଖିରେ ଆଖିଏ ଲୁହକୁ
କିଏବା ପୋଛିବ କହ
ଅବୁଝା ମନତା ବୁଝୁତ ନଥିଲା
ଛାତିରେ ଛାତିଏ କୋହ ।
ଡଙ୍ଗାରେ ଆସିଲା ସାଥି ମେଳେ ପୁଅ
ସମୁଦ୍ର ର ବାଟ ଦେଇ
ଦିନରେ ଖରାକୁ ରାତିରେ କାକର
ଲୁଣା ପବନକୁ ସହି ।
ଅଧାବାଟେ ଏଣେ ପାଣି ସରିଗଲା
ଖାଦ୍ୟ ବି ଅଣ୍ଟିଲା ନାହିଁ
ଘରମୁହାଁ ଯୋଗୁ ଭୋକ ଶୋଷକୁତ
ଆଖିବୁଜି ଗଲେ ସହି ।
ଗଳାବାଟ ଦେଖି ପୁଅ ଯେତେବେଳେ
ଗାଁ କୁ ଆସିଲା ଫେରି
ମାଆ ମନ ପରା ହୋଇଗଲା ଖୁସି
ସରାଗରେ ଗଲା ଭରି ।
ଲୁହ ପୋଛି ମାଆ ପୁଅକୁ କହିଲା
ଭଲ ନାହିଁ ଏବେ ଦିନ
ତୋ ମଙ୍ଗଳ ପାଇଁ ସଙ୍ଗରୋଧ ଘରେ
ଯା'ତୁ ରହିବୁ ଧନ ।
ସେହିଠାରେ ସବୁ ସୁବିଧା ରହିଛି
ରହିବା ଖାଇବା ପାଇଁ
ଖୁସିରେ ଫେରିବୁ ଘରକୁ ଧନରେ
ଦିନ କେଇଟା ତୁ ରହି ।
ପୁଅ ଚାଲିଗଲା ସଙ୍ଗରୋଧ ଘରେ
ସାକାଳୁ ହୋଇଲା ଜ୍ବର
କରୋଣା ର ଭୟ କରିଲା ଅଥୟ
ଗାଁ ସାରା ଥରହର।
ପରୀକ୍ଷା ରୁ ତାର ଜଣା ପଡିଲା ସେ
କରୋଣାରେ ସଂକ୍ରମିତ
ଡାକ୍ତରଖାନାରେ ଚିକିତ୍ସା ହୋଇଲା
ଘରଲୋକ ଆତଙ୍କିତ ।
ରୋଗସାଥେ ସେତ ଲଢେ଼ଇ କରିଲା
ଶେଷରେତ ଗଲା ହାରି
ମାଆ ଚାହିଁଥଥିଲା ଗାଁ ଚାହିଁଥିଲା
ପୁଅ ଆସିଲାନି ଫେରି ।
ଡାକ୍ତରଖାନାରୁ ମଶାଣିପଦାକୁ
ଶବ ତାର ନିଆଗଲା
ମାଆ ପାରିଲାନି ଦେଖିତା ମୁହଁକୁ
ପାଉଁଶ ସେ ହୋଇଗଲା ।