ଗାଆଁ
ଗାଆଁ
ଅପରୂପ ଶୋଭା ସଜାଇଛି ଗୋଭା
କବରୀରେ ଭରି ମଲ୍ଲୀ,
ସଜାଇ ଦେଇଛି ତନୁରୁ ତଳିପା
ମୁହଁ ଦେଖାଇବ ବୋଲି |
ସବୁଜ ଷ୍ଟଲକୁ ଦେହେ ପକାଇଛି
ସ୍କନ୍ଧରେ ଧଳା ଚୁନରି,
କାଉଁଶି ବଣରେ ଲହରୀ ମାରୁଛି
ପବନ ଚକା ଭଁଉରୀ |
ଦୂର ତାଳବଣ ଅବା ଆମ୍ବ ତୋଟା
ପିଲାଙ୍କ ବାଗୁଡ଼ି ଖେଳ,
ଦଳ ଦଳ ଝିଅ ବଉଳ ବେଣୀରେ
ହୋଇଥାନ୍ତି ସେଠି ମେଳ |
ଗାଆଁରେ ଏନ୍ତୁଡ଼ି ଗାଆଁରେ ଶ୍ମଶାନ
ଗାଆଁର ପୋଖରୀ ତୁଠ,
କଇଁ ପଦୁଅରେ ପୋଖରୀ ପାଣିରେ
ମୁହଁ ଧୁଏ ରଙ୍ଗ ଓଠ |
ଗାଆଁରେ ଜନମ ଗାଆଁରେ ମରଣ
ସବୁଠାରୁ ପ୍ରିୟ ଇଏ,
ସକାଳୁ ଉଠିଲେ ଗାଆଁ ମୁହଁ ଦେଖେ
ପୁଣ୍ୟ ଗାଆଁ ମାଟି ଛୁଏଁ |
ପ୍ରିୟ ପରିଜନ ସହୋଦରେ ଭରା
ଘର ଲାଗଇ ମନ୍ଦିର,
ପବିତ୍ର ଏ ମାଟି ମାଆ ମୋ ଦେବତା
ସବୁଠୁଁ ଲାଗେ ସୁନ୍ଦର |
ଜଗତର ଯଦି ପ୍ରିୟ ଜାଗା ଥାଏ
ସେହି ଅଟେ ମୋର ଗାଆଁ,
ତାର ପୂଜା ଲାଗି ସଦା ତତପର
ମୁଖେ ଧରେ ତାର ନାଆଁ |
ତାର ବଣବିଲ ମନ୍ଦିର ପୋଖରୀ
ପାଦ ଥାପି ଦେଲି ଯେବେ,
ମନ ପୁଲକିତ ଦେହରେ ମହକ
ଫୁଲ ଭରିଦେଲା ତେବେ |
ମୋ ବହିଟିର ପ୍ରଥମ ପୃଷ୍ଠାରେ
ଆମ ଗାଆଁ କଥା ଲେଖା,
ଗାଆଁ ମାଆ ମୁହଁ ତହିଁ ଦିଶିଯାଏ
ପବିତ୍ର ମହିମା ଯୋଖା |
ପ୍ରିୟ ଗାଆଁ ମୋର ସବୁଠୁଁ ମଧୁର
ମୋ ଜୀବନ ତହିଁ ବନ୍ଧା,
ପରାଣ ପକ୍ଷୀଟି ଉଡ଼ିବୁଲେ ତହିଁ
ମହକେ ବଜନୀଗନ୍ଧା |
