ଏଣିକି ଏ ଭୁଲ କରିବିନି
ଏଣିକି ଏ ଭୁଲ କରିବିନି
ପଉଷ ମାସର ଶୀତ ସକାଳରେ
ବାଆ ବୋହୁଥିଲା ଶିରିଶିରି ,
ବଗିଚାଟା ସାରା କେତେଜାତି ଫୁଲ
ଫୁଟି ହସୁଥିଲେ କିରିକିରି
ଦେଖୁଥିଲି ମୁହିଁ ବୁଲିବୁଲି ;
ପରାଜାପତିଏ ମହୁ ଶୋଷୁଥିଲେ
ଫୁଲପରେ ବସି ଝୁଲିଝୁଲି
ଛିଟ ଛିଟ ଡେଣା କେତେ ରଙ୍ଗଭରା
ଦିଶୁଥିଲା ଭାରି ଚିକିଚିକି ,
ଖେଳିବାକୁ ଟିକେ ପରଜାପତିଟେ
ଧରିନେଲି ମୁହିଁ ଛପିଛପି
ଦୂରରୁ ଦେଖିଲେ ଜେଜେବାପା
ପାଖକୁ ଆସି ମୋ କାନ ମୋଡ଼ିଦେଲେ
ପଚାରିଲେ ମୋତେ ହୋଇ ଖପ୍ପା
"ଚଗଲି ଝିଅ ତୁ-ଏ କି କରୁଅଛୁ
କହ ତୋତେ କି ଲୋ ନାହିଁ ଜଣା ,
ଜୀବଟାକୁ ଧରି କଲବଲ କରୁ
ମକଚି ହେଲାଣି ତା'ର ଡେଣା
ଇଏ କି ଆନନ୍ଦ କହ ଭଲା ;
ତୋର ଏଇ ଖେଳ ତାକୁ ପରା କାଳ
ହେଲାଣି ସେ ଦେଖ୍ ଦରମଲା
କେଡ଼େ ଆନନ୍ଦରେ ଉଡ଼ିବୁଲି ସିଏ
ଫୁଲପରେ ଯାଇ ବସୁଥିଲା ,
ସୁରୁଜ କିରଣେ ,ରଙ୍ଗ ଡେଣା ତା'ର
ଆହା କେଡ଼େ ଶୋଭା ଦିଶୁଥିଲା
ସରାଗ ତୁ ତା'ର ଭାଙ୍ଗିଦେଲୁ
ମନ ଭୁଲାଣିଆ ରଙ୍ଗଡେଣାକୁ ତା'
ଅକାରଣେ ଯାହା ଫିକା କଲୁ
ଡରିଡରି ମୁହିଁ ଉତ୍ତରଟି ଦେଲି
"କହୁଅଛ ଜେଜେ ସତକଥା ,
ଭାବି ମୁଁ ନ ଥିଲି ମୋ ଆନନ୍ଦ ଲାଗି
ଜୀବଟି ପାଇବ ଏତେ ବ୍ୟଥା
ହେଇ ଦେଖ-ତାକୁ ଦେଲି ଛାଡ଼ି ;
ଏଣିକି ଏ ଭୁଲ କରିବିନି ଜମା
ଆଜିଠୁ ହେଉଛି କାନମୋଡ଼ି