ଏକାକୀ ଜୀବନେ
ଏକାକୀ ଜୀବନେ
ଗଢିଛି ସମାଜ ନିଜେ ହିଁ ମଣିଷ
ବଞ୍ଚିବାକୁ ସୁବିଧାରେ,
ଯାହା ପ୍ରୟୋଜନ ମିଳିଥାଏ ତାକୁ
ଅନ୍ୟର ସହାୟତାରେ ।
ଏକାକୀ ଜୀବନ ଅତି ଦୁର୍ବିସହ
ଯନ୍ତ୍ରଣାରେ କଟେ ଦିନ,
କହିବାକୁ କିଛି ହୃଦୟ ବେଦନା
ସାଥି ଖୋଜୁଥାଏ ମନ ।
ସୁଖେ ବଞ୍ଚିବାକୁ ସଭିଙ୍କ ଜୀବନେ
ଲୋଡ଼ାହୋଇଥାଏ ପ୍ରୀତି,
ପିତାମାତାଙ୍କର ସେନେହ ଆଦର
ଆତ୍ମୀୟଙ୍କ ହସ କିଛି ।
ଏକାକୀ ରହିଲେ ମନେ ଜଳେ ସଦା
ଅଶାନ୍ତିର ଦାବାନଳ,
ବିରସତା ତାର ଚିର ସହଚର
ଆଉ ଆଖି ଅଶ୍ରୁ ଜଳ ।
ହୁଏ ବିଦାରିତ ହୃଦୟ ତାହାର
ଅତୀତକୁ ଝୁରି ଝୁରି,
ପିଲାଦିନ ଠାରୁ ଯେତେ ଅନୁଭବ
ଥିଲା ସମ୍ପର୍କର ଡୋରି ।
ଦେହ ଖୋଜେ ଦେହ ମନ ଖୋଜେ ମନ
ପ୍ରୀତିର ପରଶ ପାଇଁ,
ସବୁ ଜୀବଙ୍କର ଆଦିମ ପ୍ରବୃତ୍ତି
&nb
sp; କେହି ଛାଡି ପାରିନାହିଁ ।
ରିକ୍ତ ହୃଦୟରେ ସାଇତା ସ୍ମୃତିରେ
ପ୍ରୀତି ଛବି ଭାସିଯାଏ,
ନଥାଇ ଠିକଣା ତଥାପି ହୃଦୟେ
ଦୁଃଖ ଦେଇ ଚାଲିଥାଏ ।
ଦେଖେ ନିତି ସଦା ଅନ୍ୟର ଜୀବନ
ପ୍ରୀତି ପ୍ରଣୟର ଛବି,
ଶୁଣି ପିଲାଙ୍କର ଛୋଟ ସବୁ ଅଳି
ଦୁଃଖ ଭରେ ଭାବି ଭାବି ।
ଏକାକୀ ଜୀବନେ ବିକୃତ ମନରେ
ଭରେ ଅପରାଧ ନିଶା,
ପାଦ ଖସିଗଲେ ନଷ୍ଟ ହୋଇଯାଏ
ଜୀବନର ସବୁ ଆଶା ।
ଅଭିଶପ୍ତ ଅଟେ ଏକାକୀ ଜୀବନ
ସତେ ଅବା ନିର୍ବାସନ,
ସମୟର କିଛି ପାର୍ଥକ୍ୟ ନଥାଏ
ଦିବା ରଜନୀ ସମାନ ।