ଏକ ତରଫ ପ୍ରେମ
ଏକ ତରଫ ପ୍ରେମ
ଗୋରା ତକତକ ଡଉଲ ଡାଉଲ
ଝିଅଟିର ନାମ ରାଣୀ
ରୂପ ଅନୁପମ ସୁଗୁଣ ସମ୍ପନ୍ନ
ସୁନ୍ଦର ତାହାର ବାଣୀ ।
ସ୍ୱାମୀ ଭକ୍ତି ତାର କେ ବର୍ଣ୍ଣି ପାରିବ
ପ୍ରେମରେ ଉଛୁଳା ନଇଁ
ଅନ୍ୟାୟ ଅତ୍ୟାଚାର ସବୁ ସହିକରି
କାନ୍ଦୁଥାଏ କଇଁକଇଁ ।
ସାରା ଗାଁ ପାଇଁ ସୁନା ବୋହୂ ସିଏ
ଶାଶୁଶ୍ୱଶୁରଙ୍କ ଗେଲ୍ହା
ରାଜା ବୁଝିଲାନି ପ୍ରେମର ମହତ୍ୱ
ରାଗି କରଇ ପାଲା ।
କାଉଁରିଆ କାଠି ହୋଇଥିଲା ସିଏ
ଭାଙ୍ଗି ନଥିଲା ଜମା
ମାଡ ଗାଳି ସହି ଲଇଁ ଯାଉଥିଲା
ଡାକୁଥିଲା ରଖ ମା ।
ସନ୍ଦେହୀ ସ୍ୱାମୀଟି ନିଶା ମାଦକରେ
ଜାଣିପାରେ ନାହିଁ କିଛି
ପ୍ରେମର ମୂଲ୍ୟ ସେ କାଁହୁ ବୁଝିବ
ରକ୍ତ ତା ଗରମ ଅଛି ।
ପର ସ୍ତ୍ରୀ ଝିଅ ଅତ୍ୟନ୍ତ ସୁନ୍ଦର
ତା ଆଖିକୁ ଦିଶୁ ଥାଏ
ସୁଗୁଣ ସମ୍ପନ୍ନ ନିଜ ସ୍ତ୍ରୀ ତାକୁ
ବିଷ ପରି ଲାଗୁଥାଏ ।
ବିଭା ସିନା ହେଲା ପ୍ରେମ କଲା ନାହିଁ
ପାଦର ଚପଲ କଲା
ଲକ୍ଷ୍ମୀ ପ୍ରତିମାକୁ ବୁଝି ପାରିଲାନି
ବୁଦ୍ଧି ତା ଭ୍ରମ ହେଲା ।
ରାଣୀ ଦିନରାତି ମଙ୍ଗଳ ମନାସି
ସ୍ୱାମୀ ସେବା କରୁଥିଲା
ଠାକୁର ଘରେ ଘିଅ ଦୀପ ଜାଳି
ଦୁଃଖ ଭୂଲି ଯାଉଥିଲା ।
ସମୟ ଗଡ଼ିଲା ବୟସ ଖସିଲା
ରୂପ ଯୌବନ ଗଲା
ପ୍ରେମର ଘରଟି ଗଢ଼ି ପାରିଲାନି
ଅଧାଗଢ଼ା ରହିଗଲା ।
ଦୁଇ ମନ ଆଉ ଦୁଇଙ୍କ ହୃଦୟ
ଏକ ହୋଇ ପାରିଲାନି
ସଂସାରୁ ବିଦାୟ ନେଇଗଲା ରାଣୀ
କାନ୍ଦୁଛି ରାଜା ବାହୁନି ।
ପ୍ରେମର ମୂଲ୍ୟ ବୁଝିବା ବେଳକୁ
ମୁଣ୍ଡ ବାଳ ଧଳା ହେଲା
କେତେ ଯେ ଅନ୍ୟାୟ କରିଥିଲି ବୋଲି
ପଛେ ଅନୁତାପ କଲା ।
ଫୋଟଟିକୁ ଧରି ବାହୁନି ବାହୁନି
କେତେ ଯେ କାନ୍ଦୁଛି ରାତି
କରିଥିବା କର୍ମ ଦିଶୁ ନାହିଁ ତାକୁ
ଭାଗ୍ୟକୁ ନିନ୍ଦୁଛି ନୀତି ।