ଏକ ଶୀତୁଆ ସନ୍ଧ୍ୟାରେ
ଏକ ଶୀତୁଆ ସନ୍ଧ୍ୟାରେ
ଏକ ବିରଳ ଅନୁଭୂତି
ଭ୍ରମଣରୁ ଫେରୁ ଫେରୁ
ବାଟରେ ଆମ ଚାରିଚକିଆ
ଯାନଟି ବିଗିଡିଗଲା
ସେ ଥିଲା ଏକ ମାଘ ମାସିଆ
ଶୀତୁଆ ଜାଡ ସନ୍ଧ୍ୟା
ସମସ୍ତେ କିଂକର୍ତ୍ତବ୍ୟଶୂନ୍ୟ
ଧୀରେ ଧୀରେ ରାତିର ନିଶୁନତା
ବଢ଼ିବାକୁ ଲାଗିଲା
ରାସ୍ତା ଘାଟ ଥଣ୍ଡା ଯୋଗୁଁ
ଶୂନଶାନ ମନରେ ଭୟ
ବି ଖେଲିଲାଣି
ଯାନ ମଧ୍ୟରେ ଆମେ ପାଞ୍ଚ ଜଣ
ଅଶୀ ବର୍ଷର ବୃଦ୍ଧ ପିତା
ଆମେ ସ୍ୱାମୀ ସ୍ତ୍ରୀ ଓ ଏକ
ବର୍ଷର କୁନି ଝିଅ ସୋନି
ଡ୍ରାଇଭରର ବ୍ୟସ୍ତତା ବି
ଧୈର୍ଯ୍ୟ ଭାଙ୍ଗିଲାଣି
ଶୀତର ପ୍ରକୋପ ବି ବୃଦ୍ଧି ପାଇଲାଣି
ମଝିରେ ମଝିରେ କୁନି ଝିଅର
କ୍ରନ୍ଦନ ଧ୍ଵନି
ନୀରବତାକୁ ଭାଙ୍ଗି ପ୍ରତିଧ୍ଵନିତ ହେଉଛି
ଏଇ ବେସାହାରା ଅବସ୍ଥାରେ
ଲକ୍ଷ୍ୟ ପଡ଼ିଲା
ଦୁଇ ଜଣ କିଏ ଛୋଟ ଲଣ୍ଠନଟିଏ ଧରି
ଆମ ପାଖକୁ ଆସୁଛନ୍ତି
ଉତ୍କଣ୍ଠା ବଢ଼ି ଯାଉଛି
ସେମାନେ ଆମ ପାଖକୁ ଆସି
ମୋତେ ଚିହ୍ନି ପକାଇ
ପ୍ରଣାମ ଜଣାଇ ବାଧ୍ୟ କଲେ
ସେହି ରାତିଟି ତାଙ୍କ ଗୃହରେ
ନିରାପଦରେ ବିତାଇ ଦେବାକୁ
ଅରକ୍ଷିତକୁ ଦଇବ ସାହା
ଆମେ ସୁରକ୍ଷା ପାଇଲୁ
ମଣିଷପଣିଆର ଝଲକ ଦେଖିଲୁ
ସେ ଦୁହେଁ ମୋର ପ୍ରାକ୍ତନ ଛାତ୍ର
ବୋଲି ପରିଚୟ ପାଇଲି
ଶାନ୍ତି ମିଳିଲା
ଏବେ ବି ଆମ ସମାଜରେ
ମାନବିକତା ବଞ୍ଚିଛି ମରିନି।
