ଏକ ଅନୁତପ୍ତ ହୃଦୟ
ଏକ ଅନୁତପ୍ତ ହୃଦୟ
ଜୀବନ ଜାହ୍ନବୀ ତୀରେ ଅନୁତପ୍ତ ହୃଦୟଟେ ନେଇ
ମୁଁ ଆଜି ଭାରାକ୍ରାନ୍ତ ସ୍ଥବିର ପଥିକ,
କୁକର୍ମ ଜହର ଢାଳି ଅହଙ୍କାର ଆହୁତି ଅନଳେ
ବାହାସ୍ଫୋଟ ମାରିଛି ମୁଁ ଅନେକ ଅଳୀକ।
ଭାଙ୍ଗିଛି ଅନେକ ହୃଦ ଜାଣତେ ବା ଅଜାଣତେ
ସ୍ୱାର୍ଥରେ ଆବୃତ କରି ସୁବର୍ଣ୍ଣ ବିବେକ,
ଜିଗୀଷା ନିଶାରେ କେତେ ଉଜାଡ଼ି ଉଦ୍ୟାନ
ଉଦାସେ ମୁଁ ଅନୁତପ୍ତ ପରାସ୍ତ ସୈନିକ।
ପ୍ରାକୃତ ପୌରୁଷ ଧରି ସଗର୍ବ ଅଟ୍ଟହାସ୍ୟେ
ଭାଙ୍ଗିଛି ମୁଁ ସ୍ୱାଭିମାନ ବହୁ ବ୍ୟକ୍ତିତ୍ୱର,
ଭାବର ସମ୍ପର୍କ ଯେତେ ତୁଚ୍ଛ କରି ଅର୍ଥ ଯଶ ଆଶେ
ସବୁ ଥାଇ ଆଜି ଭୋଗେ ଶପ୍ତ ଅଭାବର।
ଅନ୍ୟାୟର ଚୂଡ଼ା ପରେ ଆଜି ଏ ନିଃସଙ୍ଗ ବେଳେ
ହଜିଛି ମୁଁ ହଜାଇଛି ଜୀବନ ସର୍ବସ୍ୱ,
ଭାଙ୍ଗିଯାଏ ଅହଂତ୍ୱର ମିଥ୍ୟା ଶୀରସ୍ତ୍ରାଣ ଆଜି
ସୁବର୍ଣ୍ଣ ଉଆସେ ମୁଁ ନିଃସ୍ପନ୍ଦ ଓ ନିଃସ୍ୱ।
ଅନୁତାପ ହୁତାଶନେ ଜଳେ ମନ ପ୍ରାଣ ମୋର
ନେତ୍ର ଜଳେ ଧୋଇଯାଏ ଚିଦାକାଶ ମୋର
ପ୍ରାୟଶ୍ଚିତ ପଥ ଆଜି ସନ୍ଧାନେ ଆତୁର ଚିତ୍ତେ
ଆଞ୍ଜୁଳାରେ ଭରି ସ୍ଵଚ୍ଛ ଆତ୍ମସମୀକ୍ଷାର।