ଏଇତ ଜୀବନ
ଏଇତ ଜୀବନ
ଧୀରେ ଧୀରେ ସବୁ ବଦଳି ଯାଉଛି
ସମୟର କରାମତି
ଜରାକାଳେ ଆଜି ପଚାରୁ ନାହାନ୍ତି
ନିଜ ସନ୍ତାନ ସନ୍ତତି ॥
ମୋର ମୋର କହି ଯାହାକୁ ତୁ ଦିନେ
ଭାବୁଥିଲୁ ଆପଣାର
ଏ ଭବ ସଂସାରେ କେହି ନୁହେଁ କା'ର
ସର୍ବେ ଏଠି ସ୍ୱାର୍ଥପର ॥
ସୁଖର ଛଳନା କରି ବଞ୍ଚିବାକୁ
ପଡୁଛି ଆଜି ଏ ଦିନେ
ଦୁଃଖ ଶୁଣାଇବା ପାଇଁ ଆଜିଯାଏ
ପାଉନାହିଁ ମୁହିଁ ଜଣେ ॥
ସମସ୍ତେ ସୁଖର ସାଥୀ ଦୁଃଖ କଥା
ଶୁଣୁଛି କିଏ କାହାର
କାମ ସରିଗଲେ ଦେଖା ଦିଅନ୍ତିନି
ହୁଅନ୍ତି ପାଶୁ ଅନ୍ତର ॥
ଧନ ଯଉବନ ଅବା ମନେ ଗର୍ବ
କାଳ ବକ୍ଷେ ଯାଏ ହଜି
ସବୁ ରଙ୍ଗ ଧୀରେ ଫିକା ପଡିଯାଏ
ପାଆନ୍ତିନି କେହି ଖୋଜି ॥
ରୂପ ଯଉବନ ଅଢେଇଟା ଦିନ
ପଛେ ତାର ଧାଅଁ ନାହିଁ
ମେଣ୍ଟିନାହିଁ ଶୋଷ ବୋଲି ଅବଶୋଶ
ମନ ହୁଏ ହାଇଁପାଇଁ ॥
ପଞ୍ଚଭୂତେ ଗଢା ଆମ ଏ ଶରୀର
ମିଶିଯାଏ ପଞ୍ଚଭୂତେ
ଛାଡିଯାଏ ପ୍ରାଣ ମିଶେ ଅନ୍ୟ ଘଟେ
ଜନମେ ପୁଣି ଜଗତେ ॥
******
