ଏଇ ତ ଜୀବନ
ଏଇ ତ ଜୀବନ
ବେଳେବେଳେ ଏମିତି ବି
ବଞ୍ଚିବାକୁ ହୁଏ
ଛାଇକୁ ଏକାନ୍ତ ନିଜର କରି
ଶୂନ୍ୟତାକୁ ସଙ୍ଗେ ଧରି ।
କବର ନିଏ ବର୍ଷ ବର୍ଷର ସମ୍ପର୍କ
ଆଉ କିଛି ପ୍ରତିଶ୍ରୁତି ,
ଯେଉଁ ଟିକିଏ ବିଶ୍ୱାସରେ ଗଢ଼ାହୁଏ
ସମ୍ପର୍କର ସେତୁ
ସେଇ ବିଶ୍ୱାସ ନିଅଣ୍ଟ ପଡ଼େ
ତା'କୁ ଧରି ରଖିବାକୁ ।
ରାତିର ସ୍ବପ୍ନସବୁ
ରାତିରେ ହିଁ ହଜିଯାଆନ୍ତି
ସକାଳକୁ ବାକି ପଡ଼ିଥାଏ
ଝରା ଗଙ୍ଗଶିଉଳି ପରି
କେଇମୁଠା ଅବଶୋଷ,
ଅପ୍ରାପ୍ତିର ନିରୀହ ପ୍ରତିବେଦନ ।
ଜୀବନରେ
ମେଞ୍ଚା ମେଞ୍ଚା ବିଶ୍ୱାସ ଆଗରେ
ଛଳନା ଟିକକ ହିଁ ସତ୍ୟ,
ଆଉ ସତ ଯାହା
ଭଲପାଇବା ପ୍ରତିବଦଳରେ
କେଇ ଆଞ୍ଜୁଳା ପ୍ରତାରଣା ।
ଗୋଟିଏ ମିଛ ସମ୍ପର୍କର ସାନ୍ନିଧ୍ୟରେ
ବଞ୍ଚିବା ଅପେକ୍ଷା
ବରଂ ନିର୍ଜନତା ଭଲ ,
ମୁଖାପିନ୍ଧା ଆନ୍ତରିକତାଠାରୁ
ଶୂନ୍ୟତା ହିଁ ଉପଭୋଗ୍ୟ ।
ଏଇ ଭଲମନ୍ଦ ,ହସକାନ୍ଦ, ହାନିଲାଭ,
ସୁଖଦୁଃଖ ,ପ୍ରେମଘୃଣା,ଛାଇଆଲୁଅର
ଛକାପଞ୍ଝାରେ
କେବଳ ନିଃସର୍ତ୍ତ ଜୀଇଁବା ହିଁ
ଜୀବନ ।
ଏଠି
ଛାତି ତଳେ ଯନ୍ତ୍ରଣାକୁ ଚାପି
ହସିବାକୁ ହୁଏ ,
ଆଖି ତଳେ ସମୁଦ୍ରଟେ ଲୁଚେଇ
ବହିବାକୁ ହୁଏ ।
ସମୟକୁ ଠକି ଠକି
ଜୀବନଠୁଁ ଲୁଚି ଲୁଚି
ଏଠି ଜୀଇଁବାକୁ ହୁଏ
ଏଇ ତ ଜୀବନ ।।
