ଏଇ ତ ଜୀବନ ଧନ ...
ଏଇ ତ ଜୀବନ ଧନ ...
ସମୟର ଚକ ଗଡି ଚାଲେ ,
କାଳଚକ୍ର ତା ସଙ୍ଗେ ଚାଲେ,
ବିଧାତା ତ କପାଳେ ଲେଖିଲେ ,
ଜନ୍ମ ମୃତ୍ୟୁ ସଭିଙ୍କ କର୍ମ ତୁଲେ ,
ବଞ୍ଚିବାର ଏ ତ ଏକ କାରଣ
ଏଇ ତ ଜୀବନ ଧନ ....
ମର ଏ ଶରୀର ଆତ୍ମା ତ ଭିନ୍ନ ,
ଘାତ ପ୍ରତିଘାତ ଦିଏ କିଛି ଚିହ୍ନ ,
କର୍ମ ବିନା ଜୀବନ ନୁହଁଇ ସମ୍ପୂର୍ଣ୍ଣ ,
କର୍ମ କେବେ କରେ କିଛି ହୃଦୟୁ ବିଚ୍ଛିନ୍ନ,
ଏଇ ତ ଜୀବନ ଧନ ......
ବଞ୍ଚିବା ମରିବା ତ ବିଧିର ବିଧାନ ,
ଯୋଡ଼ଇ କେବେ କରେ କେବେ ଭିନ୍ନ,
ଦିଅଇ ଯାତନା କେବେ ରଖେ ସେ ପ୍ରସନ୍ନ ,
ସୃଷ୍ଟି କରେ ସମ୍ପର୍କ କରାଏ ମିଳନ ,
ଏଇ ତ ଜୀବନ ଧନ ...
ଆସକ୍ତିରେ ଭରେ କେବେ ଅମାନିଆ ମନ ,
କେବେ ପୁଣି ଜାଗି ଉଠେ ଆତ୍ମ ସ୍ୱାଭିମାନ ,
ଆତ୍ମା କିନ୍ତୁ ନୁହଇ କାହାର ସମ୍ପୂର୍ଣ୍ଣ ସ୍ୱାଧୀନ ,
ସମୟ ଓ କାଳର ଶୁଣଇ ସେ ଆହ୍ୱାନ ,
ଏଇ ତ ଜୀବନ ଧନ .....
ବାଲ୍ୟ କାଳେ କରେ ହସି ଖୁସି ରସ ପାନ ,
କୈଶୋରରେ କିଛି କଷ୍ଟ କରେ ଆଲିଙ୍ଗନ ,
ଯୁବାବସ୍ଥେ ମୋହେ କରେ କେବେ ସ୍ୱାର୍ଥ ବିଷ ପାନ ,
ପ୍ରୌଢାବସ୍ତେ କରେ କେବେ ଅଭିମାନ ,
ଏଇ ତ ଜୀବନ ଧନ ......
ଅର୍ଥହୀନ ନୁହେଁ, ନୁହେଁ ସେ ବିବେକହୀନ ,
ସ୍ରଷ୍ଟାର ଉତ୍ତମ ସୃଷ୍ଟି ଏ ମଣିଷ ଜୀବନ ,
ନୁହଁଇ ସେ ପାଷାଣ କି ବୁଦ୍ଧିହୀନ ,
ପ୍ରେମ ରସେ ଆବଦ୍ଧ ସେ ଦେଖଇ ସପନ ,
ଏଇ ତ ଜୀବନ ଧନ .....
ଦେଖେ ସେ ସପନ କେତେ, କିନ୍ତୁ ସବୁ ହୁଏ ରଙ୍ଗହୀନ ,
ଯେବେ କରେ କର୍ମ ହୋଇ ସେ ଧର୍ମହୀନ ,
ବିବେକ ଓ ବିଚାରକୁ କରେ ମନୁ ଛିନ୍ନ ,
ସ୍ଵାର୍ଥେ ଅନ୍ଧ ହୋଇ କରଇ ସେ କେତେ କେତେ ଅପକର୍ମ ,
ଏଇ ତ ଜୀବନ ଧନ .....
କରି ଅପକର୍ମ ହରାଏ ସେ ନିଜ ଜ୍ଞାନ ,
ହୁଅଇ ସେ ପଥହରା କରେ ପ୍ରଳାପ ହୋଇ ବୁଦ୍ଧିହୀନ ,
ଦୁନିୟା ରଙ୍ଗମଞ୍ଚେ ତା ନାଟକ ହୁଅଇ ଶୂନ୍ୟ ,
କରଇ ସେ ଶେଷ ଯାତ୍ରା ଜୀବନ ପଥରେ ହୋଇ ଚେତାହୀନ ,
ଏଇ ତ ଜୀବନ ଧନ ....
ଆସିଥାଏ ଶୂନ୍ୟ ହସ୍ତେ ଯାଏ କରି ହସ୍ତ ଶୂନ୍ୟ ,
ଏ ଦୁନିଆ ରଙ୍ଗମଞ୍ଚେ ରଚଇ
ନାଟକ କଳାକାର ସମ ,
ଏ ତ ସବୁ ସେହି ବିଧିର ବିଧାନ ,
ଛାଡି ଯାଏ କିଛି ମାନ ସମ୍ମାନର କୀର୍ତ୍ତିମାନ ,
ଏଇ ତ ଜୀବନ ଧନ ......
