ଏଇ ମୋର ଛୋଟ ଅଳି
ଏଇ ମୋର ଛୋଟ ଅଳି
ମାଆର ପଣତ ଭରା ବୃକ୍ଷ ଛାଇ
କଥାଟି ଝରଣା ଗୀତି,
ମାଆ ଥିଲେ ପାଶେ ନାହିଁ ଡର ଭୟ
ଆସୁ ଅବା ଅମା ରାତି ।
ମାଆର ପଣତ ଶୀତଳ ପରଶ
ମଧୁ ମାଳତୀର ବାସ,
ମାଆ ପଣତରେ ନିଦେ ଶୋଇଥିଲେ
ଭୁଲି ଯାଏ ଭୋକ ଶୋଷ ।
ଫୁଲଠୁ କୋମଳ ଜହ୍ନଠୁ ଶୀତଳ
ମଧୁର ତାହାର ଡାକ,
ସବୁ ଭୁଲି ହୁଏ ଯେତେ ରାଗ ରୋଶ
କରି ଦିଏ ଯେବେ କାଖ ।
ଦେହେ ଲାଗିଥିଲେ ଧୂଳି,ମାଟି,ବାଲି
କାନିରେ ଝାଡ଼ଇ ମାଆ,
ଅଝଟ କରିଲେ ବୁଝେଇ ଦିଅଇ
ଧରି ଥିଲେ କେବେ ରାହା ।
ମାଆର ପଣତ ଗ୍ରୀଷମର ଛାଇ
ପଉଷ ରାତିର ନିଦ,
ଶରତ ସଂଜରେ ଉଇଁ ଆସୁଥିବା
ପୂରୁବ ଆକାଶ ଚାନ୍ଦ ।
ମାଆ ପାଇଁ ନାହିଁ ଭାଷାରେ ଶବଦ
ରଚିବାକୁ କାବ୍ୟ ଗୀତି,
ଶାସ୍ତ୍ର ପୁରାଣରେ ବର୍ଣ୍ଣନା ଯାହାର
ହୋଇନି ଏଯାଏ ଇତି ।
ମାଆ ପାଦେ ରହୁ ସଦା ମୋ ଭକତି
ନିତି ଖାଉଥାଏ ଗାଳି,
କାଳିଆରେ ତୋତେ କିଛି ମାଗୁନାହିଁ
ଏଇ ମୋର ଛୋଟ ଅଳି ।
