STORYMIRROR

Bidyadhar Mantry

Abstract Children Stories Classics

4  

Bidyadhar Mantry

Abstract Children Stories Classics

ଏଇ ଦେଖ

ଏଇ ଦେଖ

1 min
11

   

ଏଇ ଦେଖ ଆକାଶରେ ମେଘମାଳା

ମେଘମାଳା ରେ ଚପଳା 

ଚପଳା ଚମକ ଝଲସୁଛି ଦୂରେ

ଦୂରେ ପର୍ବତ ମେଖଳା


ଲୁଚକାଳି ଖେଳ ଅଭିପ୍ରାୟେ ରବି

ରବି ଉଙ୍କି ଉହାଡରେ

ଉହାଡ ରୁ ରଶ୍ମି ବିଛୁରିତ କ୍ରମେ

କ୍ରମଶଃ ମେଘମାଳାରେ

ମେଘମାଳା ଥାଇ ଆସେ ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ଧାରେ ରଙ୍ଗ

ରଙ୍ଗର ପସରା ଖେଳି ଗଲା ଧରା 

ଧରା ପ୍ରାଣରେ ଉମଙ୍ଗ 


ଏଇ ଦେଖ ସେଇ କଳା ମେଘ ଦୃଶ୍ୟ

ଦୃଶ୍ୟ ଆକାଶ ମାର୍ଗରେ 

ଆକାଶ ମାର୍ଗରେ ବିଚରା ଚାତକ 

ଚାତକ ଘୂର୍ଣ୍ଣନ ଧାରେ

ଘୂର୍ଣ୍ଣନ ଧାରାରେ ଚାତକର ଆଶା

ଆଶା ଜଳ ବୁନ୍ଦାରେ

ବୁନ୍ଦା ବୁନ୍ଦା ବର୍ଷା ଜଳ ଧାରେ ତୃଷା 

ତୃଷା ନିବାରଣ କରେ ।


ଏଇ ଦେଖ ଦୂର ଦିଗବଳୟରେ

ଦିଗବଳୟ ଅସୀମ

ଅସୀମ କଳ୍ପନା ଇନ୍ଦ୍ରଧନୁ ଧାରେ

ଇନ୍ଦ୍ରଧନୁ ଧାରେ ପ୍ରେମ

ପ୍ରେମର ଭାବନା ପ୍ରେମିକା ମନରେ

ମନରେ ପ୍ରେମିକ ଚିନ୍ତା

ଚିନ୍ତା ମୁକ୍ତ ହେବା ପାଇଁ ରଖି ଆଶା

ଆଶା ବର୍ଷାର ଆଦ୍ରତା

ଆଦ୍ରତା ବି ମାଟି ପାଣି ପବନରେ

ପବନେ ମାଟି ମହକ

ମହକ ରେ ପ୍ରାଣେ ଭରେ ଉନ୍ମାଦନା

ଉନ୍ମାଦନା ରେ ପ୍ରେମିକ

ପ୍ରେମୀ ଯୁଗଳଙ୍କ ମନ ଆଉ ପ୍ରାଣ

ମିଳନ ପାଇଁ ଅଥୟ

ପ୍ରେମିକା ଶରୀର ଭିଜି ଗଲେ ଥରେ

ପ୍ରେମରେ ବି ତାଳ ଲୟ ।


ଏଇ ଦେଖ ନୃତ୍ୟେ ରତ ସେ ମୟୂର

ମୟୂର ନୃତ୍ୟର ତାଳେ

ତାଳେ ତାଳେ ଆପେ ମଗନ ପ୍ରେମରେ

ପ୍ରେମ ହେବ ବର୍ଷା କାଳେ 

କାଳ ବଳେ ଯେବେ ଆଗମନ ବର୍ଷା

ବର୍ଷା ଦେଖି ଆତ୍ମହରା 

ଆତ୍ମହରା ହୁଏ ଅନ୍ନଦାତା ଚାଷୀ

ଚାଷୀ ର ଖୁସି ପସରା 

ପସରା ମେଲା ହୋଇଛି ପାଣି ଧାରେ

ପାଣି ଧାରେ କେତେ ବଗ 

ବଗ ଧ୍ୟାନରତ ମୀନ ଦେଖି ଦୂରେ

ଦୂରତା ହୃଦେ ଆବେଗ ।


ଏଇ ଦେଖ ପାଣି ଧାରେ ପିଲେ ମେଳି 

ମେଳି ରେ କୌତୁକ କେତେ

କେତେ କାଗଜର ଡ଼ଙ୍ଗା ଯାଏ ଭାସି

ଯେତେ ଦୂରେ ,ଖୁସି ସେତେ 

ସେତେ ବେଳେ ପିଲାଟିଏ କଲା ପ୍ରଶ୍ନ

ପ୍ରଶ୍ନ ବର୍ଷା ବୁନ୍ଦା ପ୍ରତି

ପ୍ରତି ବୁନ୍ଦା ଯେବେ ଧରାରେ ପତିତ

କଷ୍ଟ ହେଉନି କେମିତି?

କେମିତି ରହସ୍ୟ ରହିଛି ବର୍ଷାରେ

ବର୍ଷା କେଉଁଠୁ ଆସୁଛି

ଆସୁ ଆସୁ କିମ୍ପା ଭିନ୍ନ ପରିବେଶ

ପରିବେଶ ହସୁ ଅଛି!

ଅଛି ସେ ପ୍ରଶ୍ନର ସହଜ ଉତ୍ତର 

କହେ ଅନ୍ୟ ଏକ ପିଲା

ପିଲା ପରି ବର୍ଷା ପରା ଏକ ପିଲା

ପିଲା ମାଆକୁ ଭେଟିଲା ।


ଏଇ ଦେଖ ବାରମ୍ବାର ସେଇ ବର୍ଷା

ବର୍ଷାର ସେଇ କାହାଣୀ

କାହାଣୀ ସୁଖଦ ଏ ବର୍ଷା ଋତୁର

ବର୍ଷା ଋତୁ ଆସେ ପୁଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract