ଏଇ ଆମରି ଗାଁ
ଏଇ ଆମରି ଗାଁ
ଏଇ ଆମରି ଗାଁ,ଏଇ ଆମରି ଗାଁ
ଶସ୍ୟ ଶ୍ୟାମଳ ଭରା ମୋରି ଗାଁ
ସକାଳୁ ହେଉଣୁ ଆଇ ମା ମୋର
ଚଉରା ମୂଳେ ପୂଜା ତ କରେ
ମାଇ ଟି ମୋର ଗାଧୁଆ ସାରି
ରୋଷେଇ ଘରରେ ପଶେ
ରୋଷେଇ ଶାଳରେ ଚିତା ଟି ଟାଣି
ରନ୍ଧାରେ ସେତ ଲାଗେ
ବେସର ବାସରେ ଘର ଆମର
ମହମହ ହୋଇ ବାସେ
ଉଷୁନା ଭାତକୁ ମାଛ ବେସର
ଲାଗେ ଭାରି ବଢିଆ
ତା ସାଥିକୁ ଶାଗ ଛୁଇଁ ର ଭଜା
ସ୍ବାଦ ଟି ତ ନିଆରା
ଆମ ଗାଁ ର ପୋଖରୀ ଟି କେତେ ନିର୍ମଳ
କାଚ ପରି ଦିଶୁଥାଏ ତା ଦେହର ଝର
ଗ୍ରାମ ଦେବୀ ଗାଁ ମୁଣ୍ଡରେ ଅଛନ୍ତି
ସକାଳେ ସଞ୍ଜ ବେଳେ ପୂଜା ପାଉଛନ୍ତି
ବିଶ୍ବାସ ରେ ବନ୍ଧା ଏଇ ଆମରି ଦେବୀ ମା
ସୁଖ, ଦୁଃଖ ରେ ହୁଅନ୍ତି ଗ୍ରାମର ସାହା
ଗ୍ରାମ ର ଚାନ୍ଦିନୀ କେତେ ଯେ ସୁନ୍ଦର
ସଦାବେଳେ ଲାଗି ଥାଏ ଏଇଠି ଭିଡ଼
ଗ୍ରାମ ର ଚଷାଭାଇ ହସ ହସ ମୁହେଁ
ସକାଳୁ ପଖାଳ ଖାଇ କ୍ଷେତକୁ ଧାଏଁ
ମୋ ଗାଁ ନାଲି ମାଟି ରାସ୍ତା କେତେ ସୁନ୍ଦର
ହସୁଥାଏ ମୋ ଗାଁ ଟି ହୋଇ ନିରନ୍ତର
ପୂଜା ପାର୍ବଣ ରେ ହାସ୍ୟରସ ଧାର
ବନ୍ଧୁ ବାନ୍ଧବ ରେ ପୂରିଯାଏ ସବୁରି ଘର
ଉଚ୍ଚା ପାହାଚ କୁ ଧାଡ଼ି ଧାଡ଼ି ଘର
ଗାଁ ଟି ଲାଗେ ସତେ କେତେ ଯେ ସୁନ୍ଦର
ଗାଁ ର ଭାଇଚାରା, ମମତା ର ଘର
ଗାଁ ଟି ଅଟେ ସତେ ମନ୍ଦିର ତୁଲ ।
