ଏବେ ସମୟ
ଏବେ ସମୟ
କି ସମୟ ଦେଖାଉ କଳା ଠାକୁର
ଆଜି କଥା ହେଉଅଛି ପାଣିର ଗାର
ଶ୍ରେଷ୍ଠ ମଣିଷ ଜାତିଟା ସ୍ୱାର୍ଥପର
କରି ଚରିତ୍ର କୁତ୍ସିତ କଦାକାର
ଭାବେ ଆଖି ବୁଝି ସିଏ ପିଏ କ୍ଷୀର
ପକ୍ଷୀ ଉଡୁଥାଉ ପଛେ ଯେତେ ଦୂର
ଆଜି ଗଣି ହୋଇଯାଏ ତାର ପର
ଅଜବ ଅଦ୍ଭୁତ ତାହାର ବ୍ୟବହାର
ଚିନ୍ତା କରେ ଖାଲି ପର ଅପକାର
କରିଥାଅ ଯେତେ କା'ର ଉପକାର
କଥା ସରିଯାଏ ରାତି ହେଲେ ଦୂର
ତାର ନିତି ନିତି ନୂଆ ଦରକାର
ସାଧୁକୁ ସାଧୁ ହିଁ ଲୋଡ଼ଇ
ଅସାଧୁକୁ ନୁହଁଇ
ଅତର ଲଗାଇ ଶୂକରୀ
କେବେ ହେବ କି ଗାଈ
ନିତି ବିଷ୍ଠା ଖୋଜେ ଶୂକରୀ
ତାର ପଙ୍କରେ ମନ
ଅମୃତ ତାହାକୁ ଲାଗଇ
ସତେ ବିଷ ସମାନ
ରୁପକୁ ଲଗାଇ ବାଜିରେ
କରେ ସ୍ୱାର୍ଥ ସାଧନ
ସମ୍ପତି ବିସ୍ତାର କରଇ
ଚୋରି କରିଣ ଧନ
ତାର କର୍ମଫଳ ଭୋଗିବ
ନିଶ୍ଚେ ତାର ସନ୍ତାନ
ନୋହିଛି ନୋହିବ ଅନ୍ୟଥା
ବିଧିଙ୍କର ବିଧାନ
ଅହଂକାର ତାର ସତେକି
ଶାଣଦିଆ କଟୁରୀ
ହାଣି ପକାଉଛି ସଭିଙ୍କୁ
ଆଖିର ଠାର ମାରି
ଅହଂକାର ଦିନେ ଭାଙ୍ଗିବ
ଯଉବନ ଖସିବ
ଆଖି ହରାଇଣ ଶେଷରେ
ଅଣ୍ଡାଳି ହେଉଥିବ
କେହି ରହିନାହିଁ ରହିବେ ନାହିଁ
କ୍ଷଣିକ ଏ ସଂସାରେ
କେତେ ରଙ୍ଗ ଦେଖାଏ କିଏ
ପଡି ଅର୍ଥ ଲୋଭରେ
ମାତା କୁନ୍ତୀ ସୀତା ତାରା ଅହଲ୍ୟା
ମନ୍ଦୋଦରୀ ଯାଜ୍ଞସେନୀ
ତାଙ୍କ ସମକକ୍ଷ କେବେ ନୋହିବେ
କଳି ରୁପସୀ କାମିନୀ
କର୍ମ ଉପରେ ଗୁରୁତ୍ୱ
ଦେଇଛନ୍ତି ବିଧାତା
ଯେପରି କର୍ମ ଅର୍ଜିବୁ
ସେହିପରି ଭୋଗିବା।
