ଏବେ ହୋ ଭାଇ ପୁଷମାସ
ଏବେ ହୋ ଭାଇ ପୁଷମାସ
ଏବେ ହୋ ଭାଇ ପୁଷମାସ
==============
ଶେଷ ହୋଇଲା ମାର୍ଗଶିର ।
କମଳା ଗଲେ ବାପଘର ।।
ଏବେ ହୋ ଭାଇ ପୁଷମାସ ।
ସଜାଡ଼ି ରଖ ଶୀତ ବାସ ।।
ମାଡ଼ି ଆସୁଛି ଘୋର ଜାଡ଼ ।
ଥରାଇ ଦେବ ହାଡ଼ ଗୋଡ଼।।
ପାଚିଲାକ୍ଷେତ ଚଷା ଦେଖି ।
ଆନନ୍ଦେ ହେଉଅଛି ସୁଖି ।।
ଶ୍ରୀକ୍ଷେତ୍ରେ ପ୍ରଭୁ ଶିରିପତି ।
ବାତ୍ସଲ୍ୟ ଲୀଳା କରୁଛନ୍ତି ।।
ପହିଲି ଭୋଗ ପ୍ରଭାତରେ ।
ଯଶୋଦା ଭୁଞ୍ଜାନ୍ତି ଆଦରେ ।।
ବରଗଡ଼ରେ ଯାତ୍ରା ହେଲା।
ମଞ୍ଚାରୁ ପଡ଼ି ମାମୁଁ ମଲା ।।
ରାମ ଗୋବିନ୍ଦ ବନମାଳୀ ।
ଧନୁ ଭାଙ୍ଗିଲେ ହସ୍ତେ ତୋଳି।।
ପୁଷ୍ପର ଋତୁ ଶୀତ କାଳ।
ଫୁଟିଲା ନାନା ଜାତି ଫୁଲ ।।
ଗେଣ୍ଡୁ ତରାଟ ସୂର୍ଯ୍ୟମୁଖୀ ।
ପ୍ରଫୁଲ୍ଲ ହୁଏ ମନ ଦେଖି ।।
ଶାମ୍ବ ଦଶମୀ ସୂର୍ଯ୍ୟ ପୂଜା ।
ଓଡ଼ିଆ ଘରେ ବାଜେ ବାଜା ।।
ସୂର୍ଯ୍ୟଙ୍କୁ ପୂଜି କୃଷ୍ଣ ପୁତ୍ର ।
ଶାମ୍ବ ହୋଇଲେ ବ୍ୟାଧି ମୁକ୍ତ ।।
ପୌଷ ପୂର୍ଣ୍ଣିମା ମହାପୁଣ୍ୟ ।
ଅବଧେ ରାଜା ହେଲେ ରାମ ।।
ଏମନ୍ତେ ପୁଷ ମାସ ଗଲା ।
ମଘାରେ ମାଘ ପ୍ରବେଶିଲା ।।
ପୂଜା ରଟନ୍ତି ମହାକାଳୀ ।
ଶ୍ମଶାନ ଦେବୀ ମୁଣ୍ଡମାଳୀ ।।
ସଜ ହୋଇଲେ ବୀଣାପାଣି ।
ବାଗ୍ଦେଵୀ ବିଦ୍ୟା ଠାକୁରାଣୀ ।।
ପୌଷ ମାଘରେ ଶୀତ ଶେଷ ।
ଅଗୀ ଜଳିଲା ଗ୍ରାମ ଦେଶ ।।
ବସନ୍ତ ଧରାକୁ ଆସନ୍ତେ ।
ପିକ କମ୍ପାନ୍ତି କୁହୁ ଗୀତେ ।।
ଦୋଳରେ ଅପାର ଆନନ୍ଦ।
ବିମାନେ ବୁଲନ୍ତି ଗୋବିନ୍ଦ ।।
ଦୟା ସାଗର ଆଦିକନ୍ଦ ।
ଉଲ୍ଲାସ ଚିତ୍ତେ ତାଙ୍କୁ ବନ୍ଦ ।।
କରୁଣା ସାଗର ମୁରାରୀ ।
ଏ ବିଶ୍ୱ ସର୍ଜନା ତାଙ୍କରି ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
