ଏ ଜୀବନ କିଛି ମିଛ କିଛି ସତ
ଏ ଜୀବନ କିଛି ମିଛ କିଛି ସତ
ଏ ଜୀବନ ବନ୍ଧୁ ଦିପଦ ଗୀତ
କିଛି ମିଛ କିଛି ସତ
ମିଛ ଅହଂକାର, ଆତ୍ମବଡ଼ିମା
ଏ ସବୁ ମନରୁ ଜାତ l
ଯାହା କିଛି ଏଇ ମିଳିଛି ଜୀବନେ
ସେ ସବୁ ବିଧି ପ୍ରଦତ୍ତ
ନିଜ ଭାଗ୍ୟ ଆଉ କର୍ମ ପ୍ରତିଦାନେ
ଜୀବନେ ହୋଇଛି ପ୍ରାପ୍ତ l
ସେ ପ୍ରାପ୍ତିରେ ବନ୍ଧୁ ହୁଅ ନାହିଁ ଅନ୍ଧ
ହୁଅ ନାହିଁ ଭାରାକ୍ରାନ୍ତ
ଖୁସି ଆନନ୍ଦରେ ସ୍ଥିର ବିଜ୍ଞତାରେ
ଜୀବନକୁ କର ଶାନ୍ତ l
ଦିନ ଦୁଇଟାର କଥା ଏ ଜୀବନ
ଆଜି ଅଛି କାଲି ନାହିଁ
ମିଛ କ୍ଷମତାର ଅନ୍ଧ ଗଳିରେ
ନିଜକୁ ହଜାଅ କାହିଁ ।
ବୟସ ବଢିଲେ ମିଛ କ୍ଷମତାର
ଆୟୁଷ ବି ଯିବ ସରି
ବାର୍ଦ୍ଧକ୍ୟର ବାଧା ଖୋଜିବ ମସୁଧା
ବିଷାଦରେ ଯିବ ଭରି l
ଖରା ରୁ ଉତ୍ପନ୍ନ ବୃଷ୍ଟି ର ପ୍ରାବଲ୍ୟ
ବୃଷ୍ଟି ରୁ ଉତ୍ପନ୍ନ ଶୀତ
ସେହିପରି ବନ୍ଧୁ ଜନ୍ମ ମୃତ୍ୟୁ ଚକ୍ରେ
ଏ ଜୀବନ ଆତଯାତ l
ନିଜର କର୍ତ୍ତବ୍ୟ ମାନବିକତାକୁ
ଜୀବନରେ କର ଶ୍ରେୟ
କୋଟି ହୃଦୟରେ ସ୍ମୃତି ହୋଇ ରହୁ
ଜୀବନର ପରିଚୟ l
