ଏ ଦୁନିଆ ଖୋଲା ମଞ୍ଚ
ଏ ଦୁନିଆ ଖୋଲା ମଞ୍ଚ
ଏ ଭବ ସାଗର ଖୋଲା ରଙ୍ଗମଞ୍ଚ
ନିର୍ଦ୍ଦେଶକ ପରା ଜଣେ
ମାତା ଗର୍ଭେ ନାଟ୍ୟ ନୀତି ଶିଖାଇ ସେ
ରଙ୍ଗ ମଞ୍ଚେ ଛାଡ଼ି ଦିଏ।
ମାତା ଗର୍ଭେ ସିଏ ନିତ୍ୟ ଶିକ୍ଷା ଦିଏ
ଜୀବନ ରଙ୍ଗର କଥା
ତା ସ୍ବାକ୍ଷର ଦେଇ ବିବେକ ହାତରେ
ଦିଏ ବି ଚେତନା ବାର୍ତ୍ତା ।
ମାତା ଗର୍ଭୁ ପଡି କୁଆଁ କୁଆଁ ରାବେ
ମଞ୍ଚରେ ହୁଏ ପ୍ରବେଶ
ବିବେକ ନିର୍ଦ୍ଦେଶେ ଅଭିନୟ କଲେ
ନାଟକ ହୁଏ ସରସ ।
ଜନ୍ମରୁ ମରଣ ସମୟ ଅଜଣା
ମଞ୍ଚରେ ଚ଼ାଲେ ନାଟକ
ଚରିତ୍ର ବତ୍ତାର ପ୍ରୟୋଗ ଶାଳାରେ
ଅଭିନୟ ରଖେ ଟେକ ।
ଖୋଲା ରଙ୍ଗ ମଞ୍ଚ ନାଟକ ରେ ଭରା
ପ୍ରଭୁଙ୍କ ପରୀକ୍ଷା ଗାର
ସ୍ରଷ୍ଟା ସୃଷ୍ଟି କରି ପରୀକ୍ଷକ ହୋଇ
ବସିଅଛି ଯେ ଉପର ।
ଆମ ଅଭିନୟ ସରିବ ତ ଦିନେ
ଯବନିକା ବି ପଡ଼ିବ
ବିବେକ ର ହାତ ଧରି ଚାଲୁଥିଲେ
ପ୍ରମାଦ ଯେ ନ ପଡ଼ିବ ।
ଏଇ ଖୋଲା ମଞ୍ଚେ ଗାଳି ମିଳୁଛି କି
କରତାଳି ଉଛୁଳୁଛି
ବଡ଼ କଥା ନୁହେଁ ଭବ ମଞ୍ଚ ଶବ୍ଦ
ବଡ଼ ସ୍ରଷ୍ଟା କି ଭାବୁଛି ।
ଏଇ ଖୋଲା ମଞ୍ଚେ ଆସିଛେ ସଭିଏଁ
ଜୀବନ ଲକ୍ଷ୍ୟ ଭୁଲୁଛେ
ନିଜ ଅଭିନୟେ ଜୀବନ ଲେଖୁଛେ
ମୋହେ ବାନ୍ଧି ହେଉ ଅଛେ |
ଏଇ ମଞ୍ଚେ ଆମେ କର୍ମକୁ ଭୋଗୁଛେ
ଭୋଗୁ ଅଛେ ବି ପ୍ରାରବ୍ଧ
କର୍ମ ର ଧାରାରେ ଲେଖି ଯାଉଅଛେ
ଅନ୍ୟ ପ୍ରାରବ୍ଧର ଶବ୍ଦ ।
ଏ ଖୋଲା ମଞ୍ଚରେ ମଣିଷ ରୀତିରେ
କର୍ତ୍ତବ୍ୟ କର୍ମ କରିବା
କର୍ମଯୋଗୀଟିଏ ହୋଇଯାଇ ଆମେ
ପରୀକ୍ଷା ଉତ୍ତୀର୍ଣ୍ଣ ହେବା ।
ଖୋଲା ମଞ୍ଚେ ପୁଣି ସ୍ୱାଧୀନ ଭାବରେ
ଏ ଶରୀର ଆସି ଉଭା
ଆତ୍ମ ଚେତନାକୁ ସାଙ୍ଗ କରି ନେଇ
ସୁକର୍ମେ ଲାଗି ଯେ ଯିବା |
ସବୁ କିଛି ଦେଇ କର୍ତ୍ତା ଛାଡ଼ିଛନ୍ତି
ଉପଯୋଗ ଆମ ଦାୟ
ବୁଦ୍ଧି ହେଉ ଅବା ଇନ୍ଦ୍ରିୟ ବି ହେଉ
କାର୍ଯ୍ୟ ଅଟେ ସ୍ୱ- ନିର୍ଣ୍ଣୟ ।
ଆସିଅଛେ ଏକା ଚାଲିଯିବା ଏକା
କେହି ନ ଯିବେ ସଙ୍ଗର
ଧର୍ମ ଏକା ଥିବ ସଙ୍ଗତେ ଆମର
ଯବନିକା ର ଅନ୍ତର ।
ଏ ଖୋଲା ମଞ୍ଚରେ ସୁ ଅଭିନୟଟି
ପଦ ଚିହ୍ନ ଥାପି ଯିବ
ସ୍ରଷ୍ଟା ନିଜ ସୃଷ୍ଟି ଦେଖି ଖୁସୀ ଦେଲେ
ମୋକ୍ଷ ଦ୍ଵାର ଖୋଲା ହେବ ।
ଏ ଖୋଲା ମଞ୍ଚରେ ସାର୍ଥକତା ପାଇଁ
ସ୍ନେହ,ତ୍ୟାଗ, ପ୍ରେମ ଲୋଡ଼ା
ସତ୍ୟ ଓ ବିବେକ ପୋଷାକେ ମଣ୍ଡିତ
ହେଲେ ହୋଇବ ସଜଡ଼ା |
ହସ, ଲୁହ, ଆଉ ଦୁଃଖ ସୁଖ ମଧ୍ୟେ
ସମ ଭାବାପନ୍ନ ହେବା
ବଡ଼ ନିର୍ଦ୍ଦେଶକ ନିର୍ଦ୍ଦେଶନା ନେଇ
ଶ୍ରେଷ୍ଠ ଅଭିନେତା ହେବା |
ଶେଷ ଯବନିକା ପଡିବା ଆଗରୁ
ବିଭୂତି ମୟ ହୋଇବା
ସନ୍ତୋଷ ସାଉଁଟି ଏ ରଙ୍ଗମଞ୍ଚରେ
ବିଭାମୟ ହୋଇ ଯିବା |
