STORYMIRROR

Kabiratna Nutan Kumar Behera

Tragedy Action

4  

Kabiratna Nutan Kumar Behera

Tragedy Action

ଦୁଇଟି ନିଆଁର ଜୀବନ ଏହି

ଦୁଇଟି ନିଆଁର ଜୀବନ ଏହି

2 mins
407


ଦୁଇଟି ନିଆଁର ଜୀବନ ଏହି

ଆରମ୍ଭ ଏନ୍ତୁଡ଼ି ଶେଷଟି ଜୁଇ,

ବିଚାରବାନ ଏ ମଣିଷ ହୋଇ

ବାସ୍ତବ ଚିନ୍ତନୁ ଯାଏ ଦୂରେଇ ସେ,

ପୁଣ୍ୟ ବଳେ ହୋଇ ଜନମ 

ଆସିଛି ଧରାକୁ ମୁକ୍ତି ପାଇବାକୁ

ବୁଝେ ସେ ତାର ମରମ ଯେ।୧।


ଜନନୀ ଗର୍ଭରୁ ଜନମ ଲଭି

ଲାଳନେ ପାଳନେ ବଡ଼ ହୁଅଇ,

ପ୍ରକାଶେ ତାହାର ଗୁଣ ସୁରଭି

ସମାଜରେ ରହେ ଆଦର ପାଇ ସେ,

ସତ୍ୟ ଧର୍ମ ନ୍ୟାୟେ ରହି ଯେ

କରେ ସେ କରମ ପାଳି ତା' ଧରମ

ସୁକୀର୍ତ୍ତରେ ଜିତେ ମହୀ ଯେ।୨।


ଶିଶୁରୁ ଯୁବକ ବୃଦ୍ଧ ବୟସ

ହେବା ଯାଏଁ କରୁ ଥାଏ ବିକାଶ,

ପାର୍ଥିବ ବନ୍ଧନେ ହୋଇ ସନ୍ତୋଷ

ଜୀବନକୁ ତାର କରେ ସରସ ସେ,

ଗଢ଼ି ସୁନାର ସଂସାର ଯେ

ଜଞ୍ଜାଳ ସମ୍ଭାଳି ପୁତ୍ର କନ୍ୟା ପାଳି 

ତା' ଦୁଃଖ କରଇ ଦୂର ଯେ।୩।


ଏ ଜୀବନଧାରା ଯେ ଯାଏ ଭୁଲି 

ଭାଗ୍ୟେ ତାର ଆସେ ବିପଦ ଖାଲି,

ସତ୍ୟ ଏଡ଼ି ଯାଏ ଅନ୍ଧାରେ ଚାଲି

ଧରାକୁ ଭାବେ ମାଟି ସରା ବୋଲି ସେ,

ଲୋଭେ ମୋହେ ଥାଏ ପଡ଼ି ଯେ

ଧନ ପଛେ ଧାଇଁ ହୁଏ ଧଇଁସଇଁ

ତା' ମୁଣ୍ଡ ଯାଏ ବିଗିଡ଼ି ଯେ।୪।


କରେ ଛନ୍ଦମନ୍ଦ କୁଟ କପଟ

ଦେଖେ ନାହିଁ ଆଉ ଧର୍ମର ବାଟ,

ମଧୁର ସଂପର୍କେ ପଡ଼ଇ ଫାଟ 

ଲାଞ୍ଚ ମିଛ କରି ହୁଏ ଅଝଟ ସେ,

ଅନ୍ୟାୟେ ଅରଜେ ଧନ ଯେ

ମୋର ମୋର କହି ଗର୍ବେ ଥାଏ ରହି

ହରାଇ ଦିଏ ସମ୍ମାନ ଯେ।୫।


ଅର୍ଥ ବଳେ ହୁଏ ସେ ଅହଂକାରୀ

ନୀତି ଆଦର୍ଶକୁ ଯାଏ ପାସୋରି,

ଅଧର୍ମର ବିତ୍ତ କୁହୁଡ଼ି ପରି

ରଖି ପାରେ ନାହିଁ ହାତରେ ଧରି ସେ,

କାମନାର ନିଶା ଅଶେଷ

ଗର୍ବୀ ଦୁର୍ଯ୍ୟୋଧନ ହୋଇଲା ନିଧନ

ସେ ପ୍ରକାରେ ହୁଏ ଧ୍ଵଂସ ଯେ।୬।


ଜୀବ ଯିବ ଦିନେ ଛାଡ଼ି ଏ ଦେହ

ଛଅ ଖଣ୍ଡ କାଠେ ହେବ ତା' ଦାହ,

ବିଧିର ବିଧାନେ ଚାଲେ ପ୍ରବାହ

ତେବେ କିଆଁ ଦିଏ ଅନ୍ୟକୁ ଲୁହ ସେ ?

ବୁଝି ହୁଅଇ ଅବୁଝା ଯେ

ଆଜି ଗଲେ ମରି ସବୁ ଯିବ ସରି

ପଡ଼େ ନାହିଁ ତା'ର ଖୋଜା ଯେ।୭।


ପୁଣ୍ୟେ ଅର୍ଜେ ଯିଏ ପାଏ ମୁକତି

ଯୁଗେ ଯୁଗେ ରହେ ଧର୍ମେ ଶକତି,

ଭବରୁ ହୁଅଇ ତା' ମୋକ୍ଷ ପ୍ରାପ୍ତି

ଜୀବ ପରମଙ୍କ ସାନ୍ନିଧ୍ୟ ପାଇ ଯେ

ବୈକୁଣ୍ଠେ କରଇ ବାସ ସେ

ଲୋଭେ ଥିଲେ ବଶ ପାପେ ହୁଏ ନାଶ 

ହୋଇଯାଏ ସେ ନିଃଶେଷ ଯେ।୮।


ଅଧର୍ମ ବିନାଶୀ ରଖନ୍ତି ହରି

ସାଧୁ ସନ୍ଥ ଥା'ନ୍ତି ବିଶ୍ବାସ କରି,

ବିପଦେ ଆପଦେ ତାଙ୍କୁ ଉଦ୍ଧାରି

ସଂସାର ଦୁଃଖରୁ କରନ୍ତି ପାରି ସେ,

ଭକ୍ତିରେ ହୁଅନ୍ତି ସାହା ଯେ

ପ୍ରଭୁଙ୍କ ଆଶିଷ ମୁଖେ ଦିଏ ହସ

ଜୀବନର ସିଏ ରାହା ଯେ।୯।



Rate this content
Log in

Similar oriya poem from Tragedy