ଦୁଃଖିନୀ କପୋତୀ
ଦୁଃଖିନୀ କପୋତୀ
ଶୁଣ ଶୁଣ ପିଲେ କଥାଟିଏ ଭଲେ
କପୋତୀ ଦୁଃଖ କାହାଣୀ
ମନ ଭିଯି ଯିବ ହୃଦୟେ ରହିବ
ନେତ୍ରୁ ବୋହିଯିବ ପାଣି l
ଅଗନା ଅଗନି ବନସ୍ତରେ ଥିଲେ
କପୋତ ଦମ୍ପତ୍ତି ଯୋଡ଼ି
କାଳ ହରୁଥିଲେ ଅତି ହରଷରେ
ଅରଣ୍ୟ ଅରଣ୍ୟ ଉଡ଼ି l
କାଳେ ଜନ୍ମି ତାଙ୍କ ଶାବକ ଗୋଟିଏ
ଡଉଲ ଡାଉଲ ଭାରି
ଶାବକ ରାବରେ ଭାବ ଅଭାବରେ
ବସା ଗଲା ତାଙ୍କ ପୁରି l
ଖୁଆନ୍ତି ଶାବକେ ଥଣ୍ଟେ ଘେନି ଆସି
ଶସ୍ୟକଣା ମାନ ଖୋଜି
ଏକ ଦିନେ ଦେଖି କାକ ଛୁଆଟିଏ
ଅରଣ୍ୟେ ପଡ଼ିଛି ଭିଜି l
ଛୁଆଟିକୁ ତହୁଁ ଉଠାଇ ଆଣିଲେ
ଆନନ୍ଦରେ କରି କୋଳ
କପୋତ ବସାରେ ଦୁଇ ଛୁଆ ମିଶି
ଖେଳନ୍ତି ଆନନ୍ଦେ ଖେଳ l
କାକ ଛୁଆଗୋଟି ସୁଚତୁର ଅତି
କପୋତ ସରଳ ଅତି
ସ୍ୱଭାବେ ସରଳ ଶାବକଟି ପାଇଁ
କପୋତେ ଚିନ୍ତାରେ ଥାନ୍ତି l
କପୋତେ ଚିନ୍ତିଲେ ବୁଦ୍ଧି ପରଖିବା
ଆମ ଦୁଇ ଛୁଆଙ୍କର
ଧାନ ଆଣିଦେଲା କପୋତୀ ଛୁଆଙ୍କୁ
ପୁରି ରହିଥିଲା ଶେର l
ଶେର ଦୁଇ ଦେଇ କପୋତୀ କହଇ
ଶୁଣ ଆରେ ମୋର ପିଲେ
ଧାନ କୁଟିଆଣ କେ କେତେ ତଣ୍ଡୁଳ
ଘେନିଆସ ଦେଖେ ଭଲେ l
ତଳେ ଚଷୁ ରଖି କାକର ଛୁଆଟି
ଚାଉଳରେ କରି ପୁର୍ଣ୍ଣ
ଶେର ରଖିଦେଲା ମାଆକୁ କହଇ
ଜନନୀ ତଣ୍ଡୁଳ ଘେନ l
କପୋତ ପିଲାଟି ତଣ୍ଡୁଳକୁ ତଳେ
ଉପରେ ଥୋଇ ଚଷୁକୁ
ରାଗ ଚଢ଼ିଗଲା ପଞ୍ଚମରେ ତହୁଁ
କପୋତୀ ମାତା ମୁଣ୍ଡକୁ l
ଆରେ ଆରେ ମୂର୍ଖ ଭାଇକୁ ଦେଖ
ତୁ ଚଷୁ ଆଣି ଅଛୁ ଭରି
ବାଡ଼ିଟିଏ ଧରି ଛୁଆକୁ ପ୍ରହାରି
ପକାଇଲା ତହୁଁ ମାରି l
ପରେ ଦେଖେ ତହୁଁ ଦୁଇଟି ଶେରରେ
ସମାନ ତଣ୍ଡୁଳ ଅଛି
କାନ୍ଦି କାନ୍ଦି ତହୁଁ କପୋତୀ ମାତାର
ବାକ୍ୟ ନସ୍ଫୁରିଲା କିଛି l
ସେହିଦିନୁ ପିଲେ ତରୁଡାଳେ ଥାଇ
ଗୁମୁରେ କପୋତୀ ମାତା
ଶେରକ ପୁରିଲା ମାଣକ ପୁରିଲା
ଉଠରେ ଉଠରେ ପୁତା l
ଫୁଟିଲା କେତକୀ କଥା ମୋ ଏତିକି
ଦୁଃଖିନୀ କପୋତୀ ବାଣୀ
ଆଗପଛ ଚିନ୍ତି କାର୍ଯ୍ୟ କରୁଥିଲେ
ପ୍ରମାଦ ନପଡ଼େ ପୁଣି l
