ଦୁଃଖ
ଦୁଃଖ
ଦୁଃଖ ସୁଖ ସୁଖ ଦୁଃଖ
ମଣିଷର ସାଥୀ
ଦୁଃଖ ପରେ ଆସେ ସୁଖ
ପାହେ ଅମା ରାତି ।
ଦୁଃଖ କରେ ଜୀବନକୁ
ଭାରି କଲବଲ
ଚଲାବାଟେ ଭରିଯାଏ
ଖାଲି ଖମା ଖାଲ ।
ଦୁଃଖ ଦିଏ ମଣିଷକୁ
ଯାତନା ଅନେକ
ଦୁଃଖୀର ଆଖିରୁ ଝରେ
ତତଲା ଲୋତକ ।
ଛାତିକୁ ପଥର କରି
ଦୁଃଖ ଗଲେ ସହି
ସୁଖ ଆସେ ମଧୁଭରା
ହସଖୁସି ନେଇ ।
ସୁଖରେ ଅଧୀର ହୋଇ
ଭୁଲିଗଲେ ବାଟ
ଅବାଟରେ ଦୁଃଖ ଦାଉ
କରେ ଛଟପଟ ।
ସୁଖରେ ମଣିଷ ପରା
ହୋଇଯାଏ ଅନ୍ଧ
ଦୁଃଖ ଯେବେ ମାଡିଆସେ
ହଜିଯାଏ ନିଦ ।
ସୁଖ ଆଉ ଦୁଃଖକୁତ
ଭାବିଲେ ସମାନ
ଶାନ୍ତିରେ ବତଇ ଏଇ
ମଣିଷ ଜୀବନ ।