ଦୁହିତା
ଦୁହିତା
ସୌଭାଗ୍ୟ ବଳରେ ଜୀବନ ଯେ ଚଳେ
ପାଇ ପ୍ରଭୁ ଆଶୀର୍ବାଦ
କୋଟି ପୂଣ୍ୟ ଲଭି ଗୃହେ ଗୁଞ୍ଜରିତ
କୁଆଁ କୁଆଁ ଡାକ ଶଦ୍ଦ ।
ଦୁହିତା ଜନମି ଦୁଇ କୁଳ ପାଇଁ
ଆଜନ୍ମ ସାଜେ ସେ ହିତ
ତା'ର ସ୍ପର୍ଶ ପାଇ ବେନି କୁଳ ଯଶ
ପୂଣ୍ୟ ଜଳେ ହୁଏ ଧୌତ ।
କେବେ ପିତା ପାଇଁ ଧନ ଲକ୍ଷ୍ମୀ ସମ
ଦୁଲାଳି କନ୍ୟା ରତନ
କେବେ ଭାଇ ହାତେ ରାକ୍ଷୀ ବାନ୍ଧି ଦେଇ
ଗୃହକୁ କରେ ମଣ୍ଡନ ।
ପରୀଟିଏ ପରି ଘର ଅଗଣାରେ
ନୁପୁର ପାଦରେ ନାଚି
ସଭିଙ୍କ ଆଦର ହୋଇ ଥାଏ ସିଏ
ସ୍ନେହ ସୁରଭିକୁ ବିଞ୍ଚି ।
ପର ଧନ ସିଏ କିଛି ଦିନ ପରେ
ପର ହାତ ଧରି ଯାଏ
ତନୁଜା ଗୁଣକୁ ଝୁରି ଝୁରି ପିତା
ମନକୁ ବୁଝାଇ ନିଏ ।
କନ୍ୟା ଦଶ ଦୋଷ କ୍ଷମା କରି ଦେବ
ଆଶା ରଖି ଥାଏ ପିତା
ଟୋପାଏ ସିନ୍ଦୂର ମଥାରେ ପାଇଣ
ହୁଏ ସେ ଜଗତ ଜିତା ।
କନ୍ୟା ସାଜି ଯାଏ ପର ଘର ପାଇଁ
ଅନ୍ନପୂର୍ଣ୍ଣା ଶିରୋମଣି
ନାରୀ ରୂପ ଦେହେ କେତେ ଯେ ମମତା
ନଭାବିବ ଚାକରାଣୀ ।
ଧୂଳିଘର ସାରି ଟିକି ଚଢେଇଟେ
ଆସିଛି ସତେକି ଉଡ଼ି
ସ୍ନେହ ପ୍ରୀତି ଦେଇ ସଦା ରଖି ଥିବ
ନିବିଡ଼ ବନ୍ଧନେ ଭିଡ଼ି ।
ନୁହେଁ ସେ ଦୁର୍ବଳା ନୁହେଁ ସେ ଅବଳା
ସେହି ଦୁର୍ଗା ନାରାୟଣୀ
ବ୍ୟଥିତ ସମୟେ ସେବା ଦାନେ ରଖେ
ଲେପି ସଂଜୀବନୀ ପାଣି ।
