ଦୁହିତା ଦିବସ
ଦୁହିତା ଦିବସ
ଆଜି ଏ' ସଦନେ ଶୁଖିଲା ବଦନେ
ବସିଥିଲି ବାଟ ଚାହିଁ
ନୈରାଶ୍ୟହାରିଣୀ ମୋ' ହିତକାରିଣୀ
ପାଖରେ ଯେହେତୁ ନାହିଁ ।
ଘରଣୀ ମତରେ ଆଜି ମୁଁ ସତରେ
ହୋଇଛି ବିବ୍ରତ ଭାରି
ଆଶୁ ଉପଚାରେ ସରାଗେ ପଚାରେ
କି ହେଲା ପାରୁନି ବାରି ।
ଏହାରି ଭିତରେ ତୁମରି ଚିତ୍ତରେ
କି ହେଲା ଥରୁଟେ କୁହ
ଭାବି ଅଯଥାରେ ପରର କଥାରେ
କିପାଇଁ ଝରାଅ ଲୁହ ?
କହିଲି ଉତ୍ତରେ କେବେ ତ ଗୁପ୍ତରେ
ରଖିନି କଥାରୁ ଖିଏ
ଯାହାର ଅଭାବେ ଭାବୁଛି ସ୍ବଭାବେ
ମାନସ କନ୍ୟା ମୋ' ସିଏ ।
ଜାଣନ୍
ତେ କାରଣ କନ୍ୟାକୁ ଧାରଣ
କରି ସେ ବାହୁଡି ଆସେ
ଅଙ୍କେ ମୋ ବସାଇ ନିମିଷେ ହସାଇ
କହିଲା ଥାଉ ସେ ପାଶେ ।
ଚିନ୍ତାରୁ ଦୂରେଇ ଆଖିକି ପୂରେଇ
ଦେଖିନିଅ ଆଉଥରେ
ଆମ ଏ ରତନ ତୁମରି ଯତନ
ପାଇବାକୁ ଅଳି କରେ ।
ଆଦରି କୋଳରେ ମମତା ଭୋଳରେ
ଭାବିଲି ଆନନେ ଦେଖି
ଏହି ମୋ' ବନିତା ଯା' ପାଇଁ ଭଣିତା
ପାରିନି ଗୀତରେ ଲେଖି ।
ଦୁହିତା ଦିବସ କଲା କି ବିବଶ
ଅସ୍ଥିର ଥିଲା ମୋ' ହିୟା
ଏହାରି ସକାଶେ ଭାବନା ପ୍ରକାଶେ
ଶୁଣୁଛ କି ମୋର ପ୍ରିୟା !!