STORYMIRROR

Yudhisthira Lenka

Inspirational

3  

Yudhisthira Lenka

Inspirational

ଦୃଷ୍ଟିରେ ସୃଷ୍ଟି

ଦୃଷ୍ଟିରେ ସୃଷ୍ଟି

1 min
402

ସନ୍ଥ ତୁଳସୀ ଯେଉଁ ସମୟେ

ଲେଖି ପଢୁଥିଲେ ରାମାୟଣ

ଭାବ ଭକ୍ତିପୂର୍ଣ୍ଣ ଆକର୍ଷଣେ

ଲୁଚି ଶୁଣୁଥିଲେ ହନୁମାନ ।।୧।।


ଦିନେ ଲେଖି 'ଅଶୋକ ଉଦ୍ୟାନେ

ହନୁମାନ ପ୍ରବେଶ ବୃତ୍ତାନ୍ତ'

ସନ୍ଥ ପଢୁଥିଲେ ଭକ୍ତିଚିତ୍ତ ହୋଇ

କଣ୍ଠେ ଭାବ ବିହ୍ୱଳିତ ।।୨।।


ଧଳାରଙ୍ଗ ଫୁଲେ ପାଉଥିଲା ଶୋଭା

ବାଟିକାଟି ହୋଇ ଭରା

ଶୁଣି(ଅସହ୍ୟେ)ହନୁମାନ ବାହାରି ଆସିଲେ

ଲୁଚିବା ଜାଗାରୁ ପରା ।।୩।।


ସନ୍ଥଙ୍କୁ କହିଲେ 'ଭୁଲ୍ ଲେଖିଛ'

ମୁଁ ସ୍ୱୟଂ ଅଟେ ହନୁମାନ

ପ୍ରସ୍ଫୁଟିତ ଥିଲା ଲାଲ୍ ରଙ୍ଗ ଫୁଲେ

ସେଦିନ ରାଜଉଦ୍ୟାନ ।।୪।।


ବହୁବର୍ଷ ବିତିଗଲାଣି ଯଦିଓ

ପରିଷ୍କାର ଅଛି(ମୋର) ମନେ

ଭୁଲିନାହିଁ ସେ ଦିନକୁ ଆଜିବି ମୁଁ

ଦେଖିଛି ଯାହା ନୟନେ ।।୫।।


ମୁଁ ବି ଯାହା ଲେଖିଛି 'ଠିକ୍ ଲେଖିଛି'

ସନ୍ଥ ଦେଲେ ପ୍ରତ୍ୟୁତ୍ତର

ଧଳା ଫୁଲହିଁ ଫୁଟିଥିଲା ସେଦିନ

ଅନ୍ୟଥା ନୁହେଁ ମୋ ଗିର ।।୬।।


ସନ୍ଦେହ ଯଦିବି ହୁଅଇ ତୁମର

ପଚାରି ଆସନ୍ତୁ ଯାଇ

ଶ୍ରୀରାମଚନ୍ଦ୍ର ପ୍ରଭୁ ଅନ୍ତର୍ଯ୍ୟାମୀ

ଦେବେ ସତକଥା ବତାଇ ।।୭।।


ଶ୍ରୀରାମଙ୍କ ପାଶେ ସ୍ୱର୍ଗଲୋକ ଗଲେ

ତହୁଁ ମାରୁତି ନନ୍ଦନ

ପୁଚ୍ଛିବାରୁ ପ୍ରଭୁ ଶ୍ରୀରାମ କହିଲେ

ଶୁଣ ପ୍ରିୟ ହନୁମାନ ।।୮।।


ସେତେବେଳେ ଧଳା ଫୁଲ ଫୁଟିଥିଲା

ସନ୍ଥ ଲେଖିବେନି ଭ୍ରମ

ଅଭିମାନ କଣ୍ଠେ ହନୁମାନ ବୋଲନ୍ତି

ହେ ମୋ ପ୍ରଭୁ ଶ୍ରୀରାମ ।।୯।।


ସେଦିନ ଉଦ୍ୟାନେ ଆପଣ ନଥିଲେ

ଥିଲୁ ମୁଁ ଓ ସୀତାମାତା

ଯାଉଛି ପୁଚ୍ଛିବି ସୀତାମାତାଙ୍କୁ ମୁଁ

ଫୁଲରଙ୍ଗ ସଠିକତା ।।୧୦।।


ହନୁମାନ ଯାଇ ସୀତାମାତା ପାଶେ

ପହଞ୍ଚିଗଲେ ସତ୍ତ୍ବର

ପୁଚ୍ଛିବାରୁ ସତୀ ବୋଇଲେ ସେଦିନ

ଧଳାଫୁଲ ଫୁଟିବାର ।।୧୧।।


ତଟସ୍ଥ ହୋଇ ହନୁମାନ କହିଲେ

ଆହେ ସତୀମାତା ଶୁଣ

ପରିଷ୍କାର ଲାଲ୍ ଫୁଲ ଫୁଟିଥିଲା

ଭୁଲିନାହିଁ ମୋର ମନ ।।୧୨।।


ଜାନକୀମାତା ସସ୍ନେହରେ କହିଲେ

ଆହେ ପ୍ରିୟ ହନୁମାନ

ସ୍ଥିର ଚିତ୍ତରେ ଶୁଣିଲେ କହିବି

ସେଦିନ ଘଟଣାମାନ ।।୧୩।।


ଅସୀମ କ୍ରୋଧ ଭରିଥିଲା ସେଦିନ

ତୁମ ଯୁଗଳ ନୟନେ

ଧଳା ରଙ୍ଗଟା ଲାଲ୍ ପ୍ରତୀୟମାନ

ହେଉଥିଲା ତୁମ ମନେ ।।୧୪।।


"ଦୃଷ୍ଟିରେ ସୃଷ୍ଟି ହିଁ ଗଠିତ" ହୁଅଇ

ଆହେ ପ୍ରିୟ ଭକ୍ତ ଜାଣ

ଯେମିତି ଆଖିରେ ଦେଖିବ ଦୁନିଆଁ

ସେପରି ଦିଶଇ ପୁଣ ।।୧୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational