ଦରବାର
ଦରବାର
ନୂଆ ବରଷର ବିଭୁ ଦରବାରେ ସିଂହାସନେ ଜଗନ୍ନାଥ,
ଦୁଃଖୀ-ରଙ୍କି ଭକ୍ତ ଗରିବ ବେକାର ଯୋଡ଼ି ରହିଥିଲେ ହାତ ।
ପ୍ରଭୁ ପଚାରିଲେ କୋମଳ ସ୍ଵରରେ ହସହସ ଥିଲା ମୁହଁ,
କି' ଦୁଃଖରେ ଦୁଃଖୀ ହୋଇଛ ସଭିଏଁ ଜଣ ଜଣକରି କୁହ ।
କେଉଁ ଦରବରେ ସୁଖୀହେବ ତୁମେ ତୁମଦୁଃଖ ହେବଦୂର,
ମନଖୋଲି କୁହ ମୋ ସନ୍ତାନଗଣ ତିଳେ ବି ରଖନି ଡର ।
ଗରିବ ଲୋକଟି କହିଲା- ପ୍ରଭୁ ହେ ମୋ ପରି କେ ଦୁଃଖୀ ନାହିଁ,
ରୋଗିଣା ବୁଢୀଟି ପଚାରିଲା ପ୍ରଭୁ ରୋଗହେଲା କାହିଁ ପାଇଁ ?
ବୁଢାଟିଏ କହେ- ବଳ ହଟିଗଲା କାମକୁ ପାରୁନି ଆଉ,
ବୃଦ୍ଧକାଳ ଦୁଃଖ ସଂସାରରେ ନାହିଁ ପୁଅ ଝିଅ ଥାଉଥାଉ ।
ଅନ୍ଧଟିଏ କହେ- ଆଖି ନ ଥିବାରୁ ମୋ ଜୀବନ ଅକାରଣ,
କାଲ କହେ- ପ୍ରଭୁ ସୁଖିହେବି ମୁହିଁ ଶୁଣିଲେ ମୋ ଦୁଇକାନ ।
କୁଜା ମନକଥା ବୁଝିଗଲେ ପ୍ରଭୁ କୁଜ ତ ସାଧୁଛି ଦାଉ,
ଛୋଟା କହେ- ପ୍ରଭୁ ଅପାରଗ ମୁହିଁ ଦୁଇଗୋଡ଼ ଥାଉଥାଉ ।
ଜଡା-ଜାଡ଼ି ଆଉ ଖନା-ଖନୀ ବସି ହେଉଥିଲେ ଠରାଠରି,
ଭିକାରୀଟି ଆସି କହିଲା- ସହଜେ ଥାଳ ମୋର ଯାଉପୂରି ।
ବେକାର ଯୁବକ କହିଲା- ବାପାର ମୁହିଁ ତ ବେକାର ପୁଅ,
ଅଳପ କାମରେ ବହୁତ ଦରମା ଚାକିରି ଖଣ୍ଡିଏ ଦିଅ ।
ଯୁବତୀ ଜଣକ ହାତଯୋଡ଼ି କହେ-ମୋ କଥା ଶୁଣିମା ହେଉ,
ଯାହାର ହାତକୁ ଧରିଥିଲି ପ୍ରଭୁ ସିଏ ତ କାହାର ଆଉ ।
ଲେଖକ ବିଚରା କାଖରେ ଜାକିଛି ବିଡ଼ାଏ ତା' ପାଣ୍ଡୁଲିପି,
କହିଲା- ପ୍ରଭୁ ହେ ଦୁଃଖ ଦୂର କର ପାରୁନାହିଁ ବହି ଛାପି ।
ଛାତ୍ର-ଛାତ୍ରୀ ଦୁହେଁ ବିକଳେ କହିଲେ-ଚାକିରି ତ ଆଉନାହିଁ,
ପରୀକ୍ଷା ଝମେଲା ଉଠିଯାଉ ପ୍ରଭୁ ବଡ଼କଷ୍ଟ ସେଥିପାଇଁ ।
ଚାକିରିଆ ବାବୁ କହିଲେ-ପ୍ରଭୁ ହେ, ସବୁ ତ ନିଅଣ୍ଟ ହେଲା,
ଯେତେ ଟିଏ, ଡ଼ିଏ ମିଳିଲେ କି ହେବ ଟିକସରେ ସବୁଗଲା ।
ବ୍ୟବସାୟୀ ଭାଇ ସଭିଙ୍କୁ ଅନାଇଁ କହିଲେ-ଶୁଣନ୍ତୁ ପ୍ରଭୁ,
ଏତେ କଷ୍ଟକରି ରୋଜଗାର କରୁ ଟିକସ କାହିଁକି ଦେବୁ ?
ଓକିଲ କହିଲେ-ଆମେ ବୁଦ୍ଧିଜୀବୀ ଧନ ଆଣୂ ବୁଦ୍ଧି ବିକି,
ଅବୁଝା ଅଡୁଆ ହେଉ ଏ' ଦୁନିଆ ନ ରହୁ ଆମର ବାକି ।
ଡାକତର ବାବୁ ଯନ୍ତ୍ରୀ ସଙ୍ଗେ ମିଶି କହିଲେ-ପ୍ରଭୁ ହେ ଶୁଣ,
ବହୁ ଖର୍ଚ୍ଚକରି ପାଇଛୁ ଚାକିରି ଜନତା ଶୁଝନ୍ତୁ ଋଣ ।
ମନ୍ତ୍ରୀ ଠିଆହେଇ କହିଲେ- ପ୍ରଭୁ ହେ ଚିନ୍ତା କରନାହିଁ ମନେ,
ସଭିଙ୍କର ଦୁଃଖ ଦୂର କରିବି ମୁଁ ଭୋଟରେ ଯଦି ଜିଣେ ।
ଆଉ ଯେତେ ଥିଲେ ଜଣ ଜଣକରି କହିଲେ- ସେ ମନକଥା,
ପ୍ରଭୁ ଜଗନ୍ନାଥ ବସି ସିଂହାସନେ ପାଇଲେ ବହୁତ ବ୍ୟଥା ।
କହିଲେ- ମୁହିଁ ତ ବସିଛି ମଉନେ ଦେଖୁଛି ଜଗତ ଜନ,
ଦୁଃଖ ସୁଖ ସିନା ନିଜ ଅନୁଭବ ବଡ଼-ସାନ ନିଜମନ ।
ପାଇଛ ଯା' ତୁମେ ଭୁଲି ତା'ର ସୁଖ ଦୁଃଖକୁ କରିଛ ସାର,
ନିଜଦୋଷ ପାଇଁ ପ୍ରାଣୀ ଦୁଃଖପାଏ ନିଜପାଇଁ ନିଜେଭାର ।
ଆନକଥା ଟିକେ ଭାବି ଦେଖିନିଅ ତୁମଠୁଁ ଯେ ବେଶି ଦୁଃଖୀ,
ପରସୁଖ ଦେଖି ଯିଏ ଖୁସିହୁଏ ସେହି ହେବ ଏକା ସୁଖୀ ।
ସଦବୁଦ୍ଧି ଜ୍ଞାନ ଧର୍ମ ସତ୍ୟ କଥା କେହି ତ କହିଲ ନାହିଁ ?
ତୁମ କର୍ମଫଳ ତୁମେ ହିଁ ଭୋଗିବ ସେ ସବୁ ଦେଇଛି ମୁହିଁ ।