ଦିନ ଆସେ ରାତ୍ରୀ ଅବଶେଷେ
ଦିନ ଆସେ ରାତ୍ରୀ ଅବଶେଷେ
ଆଖି ମୋର,
ହଜିଯାଏ ଦୂର ଦିଗନ୍ତରେ
ଅସ୍ତ ସୂର୍ଯ୍ୟର ଲୋହିତ ଆଭାରେ ।
ଟପ୍ ଟପ୍ ନିଗିଡି ପଡେ
ପାଣି ସବୁ ଅର୍ଘ୍ୟ ଆଞ୍ଜୁଳାରୁ,
ଭୂଲିଯାଏ ଆପଣା ଅସ୍ଥିତ୍ୱ,
ସମଗ୍ରତାରେ ନିଜକୁ ହଜାଇ
ପୁଣି ଥରେ ଖୋଜିବୁଲେ ହୋଇ ବାଟବଣା,
ଜାଣିବାକୁ ଆପଣା ଠିକଣା ।
ସୂର୍ଯ୍ୟ ଛୁପିଯାଏ ଦୃଷ୍ଟି ଆଢୁଆଳେ,
ହେଲେ ପଦଚିହ୍ନ ଷ୍ପଷ୍ଟ ଦିଶେ,
ଲୋହିତାଭ ପଶ୍ଚିମ ଆକାଶେ ।
ଘରବାହୁଡା ପକ୍ଷୀପୁଞ୍ଜ,
କଳରବେ ଘୋଷଣା କରନ୍ତି
ଆଜିର ଏଇ ଦିନଳ ସମାପ୍ତି ।
ସୂର୍ୟାସ୍ତ କେବଳ ନୁହେଁ ଦିନର ସମାପ୍ତି,
ରାତ୍ରୀ, ଦିଏ ଏକ ନୂତନ ଦିନର ପ୍ରତିଶୃତି?
ଆକାଶର ଲୋହିତ ଆଭାରେ,
ସ୍ପଷ୍ଟ ଦୃଶ୍ୟ ହୋଇଯାଏ,
ଗର୍ଭବତୀ ମାଆର ସେ
କମନନୀୟ କାନ୍ତି ।
ନବୀନର ଆଗମନ ପାଇଁ,
କେତେ ଉତ୍ସାହିତ ମନ,
ଯଦିବା ଯନ୍ତ୍ରଣାଦାୟୀ ଏ ପିଡା,
ରକ୍ତାକ୍ତ କୁକ୍ଷିର ବେଦନା,
ତଥାପି କେତେ ଉତ୍ସାହିତ ମନ !
ଏ ପ୍ରତିକ୍ଷା କରିବାକୁ ନୂତନର ଆଲିଙ୍ଗନ ।
ଅସ୍ତ ସୂର୍ଯ୍ୟର ବିଦାୟୀ ନୟନେ,
କାଲି ପୁଣି ଆସିବାର
ନିରବ ଆଶ୍ୱାସନା,
ପୁନଶ୍ଚ ଦେଖା ହେବାର
ପ୍ରଚଣ୍ଡ ପ୍ରତିଶୃତି ।
ସଂଧ୍ୟା, ଦିନର ସମାପ୍ତିକା ନୁହେଁ,
ଆଉ ଏକ ନୂତନ ଦିବସ
ଆସିବାର ନିଘୁଡ ପ୍ରତିଶୃତି ।
ଅନନ୍ତ ବିଶ୍ୱରେ ଅନ୍ତ ହିଁ ଆରମ୍ଭ
ଏକ ନୂତନ ଯାତ୍ରାର ।
ଜନ୍ମ ପରେ ମୃତ୍ୟୁ, ମୃତ୍ୟୁପରେ ଜନ୍ମ
ସୁଖପରେ ଦୁଃଖ, ଦୁଃଖପରେ ସୁଖ
ରାତ୍ରୀପରେ ଏକ ନୂତନ ସୂର୍ଯୋଦୟ ।
ନୂତନତାର ସାଥେ ସାଥେ
ଆକାର ଓ ରୂପ ବଦଳି ଯାଏ
ଆଉ, ଜୀବନର ଅନୁଭବ ଦିଏ ।
***×***
