ଦୀପ ଟିଏ ହୋଇ
ଦୀପ ଟିଏ ହୋଇ
ଦୀପ ଟିଏ ହୋଇ ଜଳୁଛି ବୋଲି
ଅନ୍ଧାର କୋଳେଇ ଖେଳୁଛି ଖାଲି
ଆଲୁଅ ବୋଲି ଯା ଜଗତେ ଜଣା
ମୋ ପାଇଁ ଦହନ ଯାତନା ଖାଲି।।
ତେଲ ସଳିତାକୁ କୋଳେ ଧରିଛି
ସଳିତା ଜଳୁଛି ତେଲ ସରୁଛି
କାହାର ଆଶା କୁ କାହାର ନିଶା
ହେଲେ ମୋ କପାଳେ ଦହନ ଖାଲି।।
ଯାହାକୁ ବାଣ୍ଟୁଛି ଆଲୁଅ ଯେତେ
ତଥାପି ସଭିଙ୍କୁ ନିଅଣ୍ଟ ସେତେ
ଇନ୍ଧନ ଅଭାବେ ଶୁଖିଲା ବତି
ଲିଭିଗଲା ପରେ ପାଉଁଶ ଖାଲି।।
ଅବଲୋକି ନିଜ ଅନ୍ତଃକରଣ
ଆଲୋକିତ କର ମନ ପ୍ରାଙ୍ଗଣ
ଉଦ୍ଭାସିତ ହେଉ ଦିବ୍ୟ ଝଲକ
ମରପୁର ହେଉ ସରଗ ସରି।।
ଜୀବନ ଜୀବନୀ ଲେଖି ବସିଛି
ଲହୁ ନିଗିଡ଼େଇ ଲୁହ ପିଉଛି
ପରତେ ନ'ଯାଏ କହିଲେ କେହି
ଜଳୁଥିଲି କାଲି ଜଳିବି କାଲି।
ଦୀପଟିଏ ହୋଇ ଜଳୁଛି ବୋଲି।।
